ବ୍ରହ୍ମପୁର : ନିଜ ଘର ବାହାରେ ପଡ଼ିରହିଲା ଜଣେ ବୃଦ୍ଧାଙ୍କ ମୃତଦେହ । ଡାକ୍ତରଖାନାରୁ ମା’ଙ୍କ ଶବ ଆଣି ଆସିଲେ ତିନି ଝିଅ । ହେଲେ ଘରେ ପଡ଼ିଥିଲା ତାଲା । ତାଲା ଖୋଲିଲେନି ଘର ଭିତରେ ଥିବା ବଡ଼ ଝିଅ । ସମ୍ପତ୍ତି ବିବାଦ ଆଗରେ ଅଲୋଡ଼ା ହେଲା ମାଆ । ପୂର୍ବରୁ ଘରକୁ ନେଇ ବିବାଦ ଥିଲା । ମାମଲା ଅଦାଲତକୁ ବି ଯାଇଥିଲା । ଶେଷରେ ବଡ଼ ଝିଅ ମାଆର ମଲା ମୁହଁକୁ ଚାହିଁଲାନି । ଘରେ ତାଲା ପକାଇ ମାଆର ମୃତଦେହକୁ ଘରେ ପୂରାଇ ଦେଲାନି । ଏଭଳି ଏକ ଘଟଣା ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ଶ୍ରୀରାମନଗର-୨ୟ ଗଳିରେ ଘଟିଛି । ଅନ୍ୟ ୩ ଝିଅ ମାଆର ମୃତଦେହକୁ ତାଲା ବନ୍ଦ ଘର ଆଗରେ ରଖିଥିଲେ । ସାହିରେ ଉତ୍ତେଜନା ପ୍ରକାଶ ପାଇବାରୁ ବଡ଼ବଜାର ଥାନା ପୁଲିସ, ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଛନ୍ତି ।
ମୃତ ବୃଦ୍ଧା ହେଉଛନ୍ତି ସୂର୍ଯ୍ୟମଣି ସାହୁ । ତାଙ୍କ ସ୍ୱାମୀ ଜଣେ ପୂର୍ବତନ ସେନା କର୍ମଚାରୀ ଓ ପୁଲିସ ଏସ୍ଆଇ । ସ୍ୱାମୀଙ୍କ ସମେତ ଏକମାତ୍ର ପୁଅର ବିୟୋଗ ହୋଇ ସାରିଛି । ସୂର୍ଯ୍ୟମଣିଙ୍କ ୪ ଝିଅ । ସ୍ୱାମୀ ଓ ପୁଅର ବିୟୋଗ ପରେ ପ୍ରଥମେ ବଡ଼ ଝିଅ, ଜ୍ୱାଇଁ ସହ ରହୁଥିଲେ ସେ । ଏଥିପାଇଁ ଝିଅକୁ ସେହି ସାହିରେ ପ୍ରାୟ ୫ ହାତ ଓସାରର ଏକ ଘର ମଧ୍ୟ ପ୍ରଦାନ କରାଯାଇ ଥିଲା । ତେବେ ବୃଦ୍ଧାଙ୍କ ଆଉ ଏକ ବଡ଼ ଘର (ପ୍ରାୟ ୧୨-୧୩ ହାତ ଓସାର) ଥିଲା ଯାହାକୁ ନେଇ ପରବର୍ତ୍ତୀ ସମୟରେ ବିବାଦ ଉପୁଜିଥିଲା । ଅଭିଯୋଗ ଉଠିଛି ଯେ- ନିଜ ସାଥିରେ ମାଆଙ୍କୁ ରଖିବା ବେଳେ ବଡ଼ ଝିଅ ଓ ଜ୍ୱାଇଁ ଉକ୍ତ ଘରକୁ ନିଜ ନାମରେ କରାଇଦେବାକୁ ଚୁକ୍ତିନାମା କରିଥିଲେ ।
ପରେ ବୃଦ୍ଧା ମାଆଙ୍କୁ ଖାଇବା ପିଇବାକୁ ନଦେବା ସହ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ । ସାନ ତିନି ଝିଅ ଏହା ଜାଣିପାରି ମାଆକୁ ବଡ଼ ଭଉଣୀ ଘରୁ ଆଣି ନିଜ ପାଖରେ ରଖୁଥିଲେ । କିନ୍ତୁ ବଡ଼ ଝିଅ ତାଙ୍କ ମାଆଙ୍କୁ ଅପହରଣ କରି ନେଇଥିବା ନେଇ ଏତଲା ଦେଇଥିଲେ । ମାମଲାକୁ ନେଇ ବୃଦ୍ଧାଙ୍କ ଅନ୍ୟ ତିନି ଝିଅ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ, ବଡ଼ ଭଉଣୀଙ୍କ ଅଭିଯୋଗ ବିରୋଧରେ ନ୍ୟାୟାଳୟରୁ ଜାମିନ ଆଣିଥିଲେ । ମାମଲାରେ ସୂର୍ଯ୍ୟମଣି ମଧ୍ୟ ପକ୍ଷଭୁକ୍ତ ହୋଇଥିଲେ । ତେବେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ବୃଦ୍ଧା ନିଜ ପକ୍ଷ ରଖି ଘର ଅନ୍ୟ କାହାରି ନାମରେ କରିବା କଥାକୁ ଖାରଜ କରିଦେବାରୁ ପୂର୍ବୋକ୍ତ ଚୁକ୍ତିନାମା ରଦ୍ଦ କରିବାକୁ ନିର୍ଦ୍ଦେଶ ହୋଇଥିଲା ଓ ବୃଦ୍ଧା ପୁଣି ନିଜର ବଡ଼ ଘରେ ରହିବା ଆରମ୍ଭ କରିଥିଲେ ।
ତେବେ ବାର୍ଦ୍ଧକ୍ୟ କାରଣରୁ ବୃଦ୍ଧା କିଛି ଦିନ ତଳୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ସୋମବାର ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ପରେ ଅନ୍ୟ ତିନି ଝିଅ ମାଆଙ୍କ ମୃତଦେହକୁ ଘରକୁ ଆଣିଥିଲେ । କିନ୍ତୁ ସେତେବେଳକୁ ବଡ଼ ଝିଅ- ଜ୍ୱାଇଁ ଉକ୍ତ ଘର ଫାଟକରେ ତାଲା ପକାଇ ଦେଇଥିଲେ ଓ ମୃତଦେହକୁ ଘରକୁ ଛାଡ଼ି ନଥିଲେ । ଫଳରେ ଅନ୍ୟ ତିନି ଝିଅ ଘର ଆଗରେ ମାଆର ମୃତଦେହ ରଖିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସାହିରେ ଉତ୍ତେଜନା ସାଙ୍ଗକୁ ପୁଲିସ ନିକଟରେ ଖବର ପହଞ୍ଚିବାରୁ ପୁଲିସ ଟିମ୍ ଶ୍ରୀରାମନଗରରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲା ।