Odia News Portal

୨୩ ତମ ବିବାହ ବାର୍ଷିକୀରେ କିଛି ଅଭୁଲା ସ୍ମୃତି ସେୟାର କଲେ ପ୍ରିୟଙ୍କା

କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ସ୍ୱାମୀ ରବର୍ଟ ଭଦ୍ରାଙ୍କ ସହ ୨୩ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଦେଶର ସବୁଠାରୁ ବଡ଼ ବିଜନେସ୍‌ ଟାଇକୁନ୍‌ ଭାବେ ପରିଚିତ ରବର୍ଟ ଭଦ୍ରା ପ୍ରିୟଙ୍କା ଗାନ୍ଧୀଙ୍କୁ ୧୯୯୭ ମସିହା ଫେବ୍ରୁଆରୀ ୧୮ ତାରିଖରେ ବିବାହ କରିଥିଲେ। ୨୩ ତମ ବିବାହ ବାର୍ଷିକୀ ଅବସରରେ ପ୍ରିୟଙ୍କା କିଛି ପୁରୁଣା ଫଟୋ ଓ ସ୍ମୃତି ଟ୍ଵିଟ୍‌ କରି ସେୟାର କରିଛନ୍ତି।

ପ୍ରିୟଙ୍କା ନିଜ ବିବାହ ବେଳର କେତେକ ଫଟୋ ସେୟାର କରିଛନ୍ତି। ଏଥିସହ ଆଉ କିଛି ଫଟୋରେ ପ୍ରିୟଙ୍କା ଓ ରବର୍ଟଙ୍କ ସହ ତାଙ୍କ ପିଲାମାନେ ମଧ୍ୟ ନଜର ଆସିଛନ୍ତି।

ଟ୍ଵିଟରରେ ଫଟୋ ପୋଷ୍ଟ କରି ପ୍ରିୟଙ୍କା କ୍ୟାପସନ୍‌ରେ ଲେଖିଛନ୍ତି ‘ଲକ୍ଷେ ସ୍ମୃତି, ପ୍ରେମ, ଲୁହ, ହସ, ରାଗ, ବନ୍ଧୁତା, ପରିବାର ଓ ଭଗବାନ ଦେଇଥିବା ଦୁଇଟି ଅମୂଲ୍ୟ ଉପହାର ଓ ଏକାଠି ବଞ୍ଚିବାର ଏକ ନିଆରା ଅନୁଭବ… ୬+୨୩=୨୯ ବର୍ଷ… ଫର ଏଭର।’

ପ୍ରିୟଙ୍କା ଓ ରବର୍ଟଙ୍କ ବିବାହକୁ ୨୩ ବର୍ଷ ପୂରିଛି। କିନ୍ତୁ ପ୍ରିୟଙ୍କା ଟ୍ଵିଟ୍‌ରେ ଏହାକୁ ୬+୨୩=୨୯ ଲେଖିଛନ୍ତି କାରଣ ସେମାନେ ପରସ୍ପରକୁ ୨୯ ବର୍ଷ ହେଲା ଜାଣିଛନ୍ତି। ଆଉଟ୍‌ଲୁକ୍‌କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କା କହିଥିଲେ ଯେ ୧୩ ବର୍ଷ ବୟସରେ ସେ ରବର୍ଟଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ। ସେତେବେଳେ ରବର୍ଟ ଜଣେ ସାଧାରଣ ବ୍ୟକ୍ତି ଭାବେ ତାଙ୍କ ସହ ଭେଟିଥିଲେ, ଯାହାକି ତାଙ୍କୁ ଖୁବ୍‌ ପସନ୍ଦ ଆସିଥିଲା।