ପୁରୀ : ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ମଙ୍ଗଳବାର ଦିନ ନୟାଗଡ଼ ବନଖଣ୍ଡରୁ ଦ୍ୱିତୀୟ ଦଫାରେ ଦୁଇଟି ଟ୍ରକ୍ରେ ୫୧ ଟି ଧଉରା ଆଉ ଅସନ କାଠ ଗଣ୍ଡି ରଥଖଳାରେ ପହଞ୍ଚିଛି । ଶ୍ରୀବସନ୍ତ ପଞ୍ଚମୀ କାଠ ଅନୁକୂଳ ପୂର୍ବରୁ ପ୍ରଥମ ଦଫାରେ ୫୩ ଖଣ୍ଡ କାଠ ରଥଖଳା ପହଞ୍ଚିଥିଲା । ଏହି ହିସାବରୁ ସୂଚନା ମିଳିଛି ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆବଶ୍ୟକ ଆହୁରି ୪୬୮ ଖଣ୍ଡ କାଠ ପହଞ୍ଚିବ । ଫାସୀ କାଠ ଏବେ ବି ପୁରୀଠାରେ ପହଞ୍ଚି ନଥିବା ଶ୍ରୀମନ୍ଦିର ସୂତ୍ରରୁ ସୂଚନା ମିଳିଛି । କାରଣ ଫାସୀ କାଠ ଶୁଖିଯିବାର ଆଶଙ୍କା ଲାଗି ରହିଛି । ଫାସୀ କାଠ ଶୁଖିଗଲେ ରଥର ବିଭିନ୍ନ ଅଂଶ ନିର୍ମାଣ ଧିମେଇ ଯିବ । ଗଞ୍ଜାମ ଜିଲ୍ଲାର ଘୁମୁସର ଉତ୍ତର ବନଖଣ୍ଡରୁ ୨୦ଟି ସଳଖ କାଠ ଗଣ୍ଡି ଚଳିତ ବର୍ଷ ସଂଗ୍ରହ କରାଯିବ ।
ନୟାଗଡ଼ ବନମଣ୍ଡଳରେ ମହାପ୍ରଭୁଙ୍କ ତିନି ରଥ ପାଇଁ ଆବଶ୍ୟକ ମାନ ଏବଂ ମାପର କାଠ ଧୀରେ ଧୀରେ କମିବାରେ ଲାଗିଛି । ଏହି କାରଣରୁ ଗତ ତିନି ବର୍ଷ ଧରି ବୈାଦ୍ଧ ବନଖଣ୍ଡରୁ ଆବଶ୍ୟକ ମାନର ମୋଟା ଏବଂ ସଳଖ କାଠ ଗଣ୍ଡି ସଂଗ୍ରହ କରାଯାଉଥିଲା । ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ଘୁମୁସର ନର୍ଥ ମଣ୍ଡଳରୁ ଧଉରା ଏବଂ ଅସନ କାଠ ଗଣ୍ଡି ସଂଗ୍ରହ କରିବାକୁ ରାଜ୍ୟ ମୁଖ୍ୟ ବନପାଳଙ୍କ ଅନୁମତି ମଗାଯାଇଛି ।
ଶ୍ରୀପଞ୍ଚମୀରେ ପ୍ରଭୁଙ୍କ ତିନି ରଥର କାଠ ଅନୁକୂଳ ପୂଜା ହୋଇ ସାରିଛି । ୩ଟି ୧୨ ଫୁଟିଆ ଧଉରା କାଠ ଗଣ୍ଡିକୁ ରଥକାଠ ଅନୁକୂଳ ପର୍ବରେ ପୂଜା କରାଯାଇଛି । ଏବେ ଅକ୍ଷୟ ତୃତୀୟାକୁ ଅପେକ୍ଷା କରାଯାଇଛି । ଏହି ତିଥିରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ ଅନୁକୂଳ ପର୍ବ ସମ୍ପନ୍ନ ହେବ । ତା ପୂର୍ବରୁ ତିନି ରଥ ପାଇଁ ପ୍ରାର୍ଥମିକ ପର୍ଯ୍ୟାୟରେ ଆବଶ୍ୟକ ରଥ କାଠ ଚାରି ଗୋଟି ଜିଲ୍ଲା ଗଞ୍ଜାମ, ନୟାଗଡ, ବୌଦ୍ଧ, ଖୋର୍ଦ୍ଧାରୁ ପୁରୀ ରଥଖଳାରେ ପହଞ୍ଚାଇବାକୁ ବନ ବିଭାଗ ପ୍ରସ୍ତୁତି ଚାଲିଛି । ରଥ ନିର୍ମାଣ ସଂହିତା ମୁତାବକ ପ୍ରତିବର୍ଷ ୮୬୫ ଖଣ୍ଡ କାଠ ତିନି ରଥ ନିର୍ମାଣରେ ଲାଗି ହେଉଛି। ଚଳିତ ବର୍ଷ ପୂର୍ବବର୍ଷର ୧୯୩ ଖଣ୍ଡ କାଠ ଗଣ୍ଡି ବଳକା ରହିଛି । ଏହାକୁ ବାଦ ବେଲେ ଚଳିତ ବର୍ଷ କଞ୍ଚା କାଠକୁ ମିଶାଇ ୬୭୨ ଖଣ୍ଡ କାଠ ବିଭିନ୍ନ ବନମଣ୍ଡଳରୁ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।
ଫାସୀ କାଠ ଏବେ ବି ପୁରୀଠାରେ ପହଞ୍ଚି ନଥିବା ଶ୍ରୀମନ୍ଦିର ସୂତ୍ରରୁ ସୂଚନା ମିଳିଛି । କାରଣ ଫାସୀ କାଠ ଶୁଖିଯିବାର ଆଶଙ୍କା ଲାଗି ରହିଛି । ଫାସୀ କାଠ ଶୁଖିଗଲେ ରଥର ବିଭିନ୍ନ ଅଂଶ ନିର୍ମାଣ ଧିମେଇ ଯିବ । ଗଞ୍ଜାମ ଜିଲ୍ଲାର ଘୁମୁସର ଉତ୍ତର ବନଖଣ୍ଡରୁ ୨୦ଟି ସଳଖ କାଠ ଗଣ୍ଡି ଚଳିତ ବର୍ଷ ସଂଗ୍ରହ କରାଯିବ ।