ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି ତିଥି । ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରାଚୀନ ମନ୍ଦିରରେ ଠାକୁରଙ୍କ ଦର୍ଶନ କାମ୍ୟରେ ଆଜିଠୁ ଆରମ୍ଭ ହୋଇଗଲାଣି ଗହଳିଚହଳି । ସୁସଜ୍ଜିତ ଆଲୋକମାଳାରେ ଝଲମଲ ହୋଇ ଉଠିଲାଣି ଦେବପୀଠ । ଆଧ୍ୟାତ୍ମିକତାର ବାତାବରଣରେ ଉତ୍କଣ୍ଠିତ ଭକ୍ତଗଣଙ୍କ ଆଖିରେ ପଲକ ପଡ଼ୁନି ।
ଅପେକ୍ଷା କରିଛନ୍ତି କେତେବେଳେ ଠାକୁରଙ୍କ ଗମ୍ଭୀରା ଖୋଲିବ, ଆଉ ପ୍ରଭୁଙ୍କ ସାହାଣମେଲା ଦର୍ଶନ ପାଇ ଚକ୍ଷୁ ସାର୍ଥକ ହେବ ।
ଏକାମ୍ରକ୍ଷେତ୍ରର ଅଧିଷ୍ଠାତ୍ରା ଦେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରିଭୂତ । ପୁଲିସ ଓ ପ୍ରଶାସନଙ୍କ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି । ଉଜ୍ଜ୍ୱଳ ଆଲୋକରେ ଚମକି ଉଠୁଛି ମନ୍ଦିରର ଚୂଡ଼ା ଠାରୁ ଆରମ୍ଭ କରି ବେଢ଼ା ପର୍ଯ୍ୟନ୍ତ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ଶ୍ରୀଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ଖୁବ୍ ସୁନ୍ଦର ଭାବେ ସଜଡ଼ା ଯାଇଛି ।
ଭକ୍ତଗଣଙ୍କ ପାଇଁ ଅସ୍ଥାୟୀ ବିଶ୍ରାମାଗାର, ଜୋତା ଷ୍ଟାଣ୍ଡ, ଗାଡ଼ିମୋଟର ପାର୍କିଂ ସ୍ଥାନ ନିର୍ମାଣ ହୋଇଛି । ମହାଖଳା ରଥଦାଣ୍ଡ ରାସ୍ତାକୁ ପେଭର ଫିନିସର ଦ୍ୱାରା ଚିକ୍କଣ କରି ଦିଆଯାଇଛି । ଭକ୍ତଗଣଙ୍କୁ ଶୃଙ୍ଖଳିତ ଭାବେ ଧାଡ଼ିରେ ମନ୍ଦିର ବେଢ଼ାକୁ ପ୍ରବେଶ କରାଇବା ଲାଗି ସ୍ୱତନ୍ତ୍ର ବ୍ୟାରିକେଡ୍ ନିର୍ମାଣ ସରିଛି । ମନ୍ଦିର ପ୍ରଶାସନ ପକ୍ଷରୁ ଠାକୁରଙ୍କ ରୀତିନୀତିର ସମୟାନୁବର୍ତ୍ତୀ ନିମନ୍ତେ ସେବାୟତଙ୍କ ସହଯୋଗ ଲୋଡ଼ା ଯାଇଛି ।
ଟ୍ରଷ୍ଟ ବୋର୍ଡର ସଦସ୍ୟଗଣ ଏଥିରେ ସହଯୋଗ କରୁଛନ୍ତି । ସେହିଭଳି ଯାତ୍ରୀଙ୍କୁ ଆପାତ୍ତକାଳୀନ ସ୍ଥିତିରୁ ଉଦ୍ଧାର କରିବା ଲାଗି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟଗଣ ଆଜିଠୁ ଜାଗତିଆର ହୋଇ ରହିଛନ୍ତି । ଅନୁରୂପ ଭାବେ ଅନ୍ୟତମ ଆକର୍ଷଣ ଜାତୀୟସ୍ତରୀୟ ଭଜନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ପ୍ରସିଦ୍ଧ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଆୟୋଜିତ ଭଜନ ସମାରୋହ ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।