Odia News Portal

ଏକ ସ୍ମରଣୀୟ ଦିବସ : କଣ୍ଟ ତାରିଖରେ ୫୧ ଟି ପ୍ଲଟ୍ ପାଇଁ ଚୁକ୍ତି ଦାଖଲ

ଭୁବନେଶ୍ୱର : ସରକାରଙ୍କର ଅଗ୍ରଣୀ ଭୂମିକା ନେଇଥିବା ଏକାମ୍ର କ୍ଷେତ୍ର ବିକାଶ ଯୋଜନାରେ ଆଜି ଏକ ସ୍ମରଣୀୟ ଦିବସ । କ୍ଷେତ୍ର ବିକାଶରେ ସରକାରୀ ଭୂମି ବ୍ୟତିରେକ ଯୋଜନା ଅନୁସାରେ କେତେକ ଘରୋଇ ଜମିର ଆବଶ୍ୟକତାକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିଲା । ଚିହ୍ନଟ ହୋଇଥିବା ୧୦୦ଟି ଘରୋଇ ପ୍ଲଟ୍ ୮୧ଜଣଙ୍କର ମାଲିକନା ସତ୍ତ୍ୱରେ ରହିଛି । ତେବେ ଆସନ୍ତା ମାସ ସୁଦ୍ଧା ଅଧିଗ୍ରହଣ ହେବାକୁ ଥିବାବେଳେ ଏହାର ତୁରନ୍ତକାର୍ଯ୍ୟ ପାଇଁ ଆଜି ତାରିଖକୁ ଏକ କଣ୍ଟ ତାରିଖ ଭାବେ ଘୋଷଣା କାରାଯାଇ, ଆଜି ସୁଦ୍ଧା ଯେଉଁମାନେ ସ୍ୱଇଚ୍ଛାରେ ନିଜର ଜମି ଦାଖଲ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିବେ ସେମାନଙ୍କୁ ୧୦ ପ୍ରତିଶତ ବୋନସ୍ ମିଳିବାର ଘୋଷଣା କରାଯାଇଥିଲା ।
ତେଣୁ ଆଜି ଉକ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବା ଏବଂ ଆଗ୍ରହୀ ଜମି ମାଲିକ ଓ ସତ୍ତ୍ୱାଧିକାରୀଙ୍କୁ ଚୁକ୍ତି ସ୍ୱାକ୍ଷରିତ କରିବା କାର୍ଯ୍ୟକୁ ସରଳ କରିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।

ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ଏବଂ ଡେପୁଟି କମିଶନର କମଲଜିତ୍ ଦାସଙ୍କ କାର୍ଯ୍ୟ ସଂଯୋଜନାରେ ଆଜି ୫୧ ଟି ପ୍ଲଟ୍ ପାଇଁ ବିଏମ୍‌ସି ସହିତ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି ୪୩ ଜଣ ସତ୍ତ୍ୱାଧିକାରୀ । ଆଜି ସୁଦ୍ଧା ଚୁକ୍ତି ସ୍ୱାକ୍ଷରିତ କରିଥିବା ସମସ୍ତ ସତ୍ତ୍ୱାଧିକାରୀଙ୍କୁ ୧୦ ପ୍ରତିଶତ ବୋନସ୍ ମିଳିବ ।
ସତ୍ତ୍ୱାଧିକାରୀମାନଙ୍କର କୌଣସି ପ୍ରକାରର ପ୍ରଶାସନିକ ସହଯୋଗ ନିମନ୍ତେ କମିଶନରଙ୍କ ନିର୍ଦ୍ଦେଶରେ ସହକାରୀ ଜିଲ୍ଲାପାଳ ଅଂଶୁମାନ ରଥ ଏବଂ ସମୀର ରଞ୍ଜନ ଦାସ ଓ ଅତିରିକ୍ତ ତହସିଲଦାର ଅଶ୍ମୀନୀ ନାୟକ ଆଗ୍ରହୀ ସତ୍ତ୍ୱାଧିକାରୀଙ୍କ ଚୁକ୍ତିନାମା କାର୍ଯ୍ୟକୁ ବ୍ୟବସ୍ଥିତ କରାଇଥିଲେ । ଆସିଥିବା ସତ୍ତ୍ୱାଧିକାରୀମାନଙ୍କ ଷ୍ଟାମ୍ପ ନିମନ୍ତେ କୌଣସି ପ୍ରକାରର ଅସୁବିଧା ନ ହେବାପାଇଁ ଏଠାରେ ଷ୍ଟାମ୍ପ ଭେଣ୍ଡରଙ୍କୁ ରଖାଯାଇଥିଲା । ଫଳରେ ଆସିଥିବା ସତ୍ତ୍ୱାଧିକାରୀମାନେ ସହଜରେ ହ୍ୟାଣ୍ଡନୋଟ୍ ଏବଂ ଷ୍ଟାମ୍ପ ପାଇ ପାରିଥିଲେ ।

ଚୁକ୍ତି ସ୍ୱାକ୍ଷର ପରେ ଅଧିଗ୍ରହଣ ଆରମ୍ଭ ହେବ, ଅଧିଗ୍ରହଣର ଏକ ମାସ ମଧ୍ୟରେ ଜମି ମାଲିକମାନେ ମୂଲ୍ୟପାଇବେ । ସ୍ଥିରିକୃତ ମୂଲ୍ୟ ଅନୁସାରେ ଆକଳନ ହୋଇଥିବା ଭୂମି ଏବଂ ଗୃହର ଦୁଇଗୁଣ, ମୁଖ୍ୟମନ୍ତ୍ରୀଙ୍କ ପୁର୍ନବାସ ଅନୁଦାନ ୨୦ ଲକ୍ଷ ସାଙ୍ଗକୁ ୧୦ ପ୍ରତିଶତ ଅଧିକ ବୋନସ୍ ପାଇବେ ଆଜି ସ୍ୱାକ୍ଷର କରିଥିବା ଜମିର ସତ୍ତ୍ୱାଧିକାରୀ; କହିଛନ୍ତି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ । ତେବେ ଯେଉଁମାନେ ଆଜି ଚୁକ୍ତି ସ୍ୱାକ୍ଷର କରିପାରିଲେ ନାହିଁ, ନିର୍ଦ୍ଧିଷ୍ଟ ପ୍ୟାକେଜରେ ଆସନ୍ତା କାଲିଠାରୁ କରିପାରିବେ । ରହିଯାଇଥିବା ମାଲିକମାନଙ୍କର କେତେକ ସମସ୍ୟା ଯାହାକି ଜମି ବିବାଦ, ବଂଶାବଳୀ ସମାଧାନ ଇତ୍ୟାଦି ଯୋଗୁଁ କେତେଜଣ ଆସିନଥିବା ଜଣାଯାଇଛି, କହିଛନ୍ତି ଡେପୁଟି କମିଶନର କମଲ୍‌ଜିତ୍ ଦାସ । ଏହା ସାଙ୍ଗକୁ ଆମର କର୍ମଚାରୀମାନେ ଆବଶ୍ୟକ କ୍ରମେ ଏ ବାବଦରେ ସଚେତନ କରାଉଛନ୍ତି ବୋଲି ସେ କହିଥିଲେ ।