ପାକିସ୍ତାନକୁ ମାତ୍ ଦେଲା ଟିମ୍ ଇଣ୍ଡିଆ। ଶେଷ ବଲ୍ ପର୍ଯ୍ୟନ୍ତ ଚାଲିଲା ରୋମାଞ୍ଚକର ଲଢ଼େଇ। ହାତରୁ ଖସିଯାଉଥିବା ମ୍ୟାଚ୍କୁ ନିଜ ପକ୍ଷକୁ ଟାଣି ଆଣିଲେ ଭାରତୀୟ ଯୁବ କ୍ରିକେଟର। ଚୌକା ମାରି ମୋହିତ ଦେଲେ ବିଜୟର ଖୁସି। ଆଉ ଏହା ସହ ଅଣ୍ଡର-୧୯ ଏସିଆ କପ୍ ଫାଇନାଲ୍ରେ ଚାମ୍ପିୟନ୍ ହେଲା ଭାରତ। ଓମାନର ଅଲ୍ ଆମେରାତ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ଫାଇନାଲ୍ରେ ଉଭୟ ଦଳ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର। ଶେଷ ପର୍ଯ୍ୟନ୍ତ କିଏ ଜିତିବ, ତାହାକୁ ନେଇ ଲାଗି ରହିଥିଲା ଉତ୍କଣ୍ଠା।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଧାର୍ଯ୍ୟ ୫୦ ଓଭରରେ ୯ଟି ୱିକେଟ୍ ହରାଇ ୩୩୭ ରନ୍ର ବିଶାଳ ସ୍କୋର କରିଥିଲା। ପାକିସ୍ତାନ ପକ୍ଷରୁ ଉସମାନ ଖାନ୍ ଦମଦାର ଶତକ ହାସଲ କରି ୧୦୭ ରନ୍ କରିଥିବା ବେଳେ ଅବଦୁଲ କାଦିର ୮୦ ଏବଂ ଅଧିନାୟକ ଫରହାନ ୟୁସୁଫ ୬୩ ରନ୍ର ଯୋଗଦାନ ଦେଇଥିଲେ। ଭାରତ ପକ୍ଷରୁ କାବ୍ୟ ପଟେଲ ୪ଟି ଏବଂ ଚିଗୁରୁପତି ଭେଙ୍କଟା ୩ଟି ୱିକେଟ୍ ନେଇଥିଲେ। ଏହାପରେ ୩୩୮ ରନ୍ର ବଡ଼ ଟାର୍ଗେଟ୍କୁ ପିଛା କରି ପଡ଼ିଆକୁ ଓହ୍ଲାଇଥିଲା ଭାରତୀୟ ଦଳ। ଆରମ୍ଭରୁ ହିଁ ଭାରତୀୟ ବ୍ୟାଟରମାନେ ଦେଖାଇଥିଲେ ଆକ୍ରମଣାତ୍ମକ ଖେଳ। ଆର୍ୟବୀର ସେହୱାଗ ଓ ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀଙ୍କ ବ୍ୟାଟିଂ ଭାରତର ବିଜୟ ଆଶାକୁ ମଜବୁତ କରିଥିଲା।
କିନ୍ତୁ ମ୍ୟାଚ୍ ଯେତେ ଆଗକୁ ବଢ଼ିଥିଲା, ସେତେ ବଢ଼ିଥିଲା ରୋମାଞ୍ଚ। ଶେଷ ଓଭରଗୁଡ଼ିକରେ ଭାରତ ଲଗାତାର ୱିକେଟ୍ ହରାଇବାରୁ ଚାପରେ ପଡ଼ିଯାଇଥିଲା ଟିମ୍ ଇଣ୍ଡିଆ। ଗୋଟିଏ ସମୟରେ ଲାଗୁଥିଲା, ହୁଏତ ଏଥର ମଧ୍ୟ ଭାରତ ହାତରୁ ଟ୍ରଫି ଖସିଯିବ। ହେଲେ ଭାରତୀୟ ଯୁବ ଖେଳାଳିମାନେ ହାର୍ ମାନିବାକୁ ପ୍ରସ୍ତୁତ ନଥିଲେ। ମନଲ ଚୌହାନ ଓ ମୋହିତ ଉଲ୍ ଭାଙ୍କ ଲଢ଼ୁଆ ବ୍ୟାଟିଂ ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲା। ଶେଷ ବଲ୍ରେ ଚୌକା ମାରି ମୋହିତ ଭାରତକୁ ଭେଟି ଦେଇଥିଲେ ଐତିହାସିକ ବିଜୟ। ପାକିସ୍ତାନ ହାତରୁ ବିଜୟ ଛଡ଼ାଇ ଆଣି ଏସିଆ କପ୍ ଟ୍ରଫି ନିଜ ନାଁରେ କରିଥିଲା ଭାରତ।
ଏହି ବିଜୟ କେବଳ ଗୋଟିଏ ଟ୍ରଫି ଜିତିବାର କାହାଣୀ ନୁହେଁ, ବରଂ ପୂର୍ବ ପରାଜୟର ଜବାବ ମଧ୍ୟ। କାରଣ ଗତ ଏସିଆ କପ୍ ଫାଇନାଲ୍ରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା ଭାରତ। ଏପରିକି ଚଳିତ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟରେ ମଧ୍ୟ ପାକିସ୍ତାନଠାରୁ ହାରିଥିଲା ଟିମ୍ ଇଣ୍ଡିଆ। କିନ୍ତୁ ଫାଇନାଲ୍ରେ ସବୁ ହିସାବ ବଦଳାଇ ଦେଲା ଭାରତ। ଚାପରେ ନ ଭାଙ୍ଗି ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼ିବାର ମନୋବଳ ହିଁ ଦଳକୁ ଦେଲା ଚାମ୍ପିୟନ୍ର ମୁକୁଟ। ଯୁବ ଭାରତୀୟ ଖେଳାଳିଙ୍କ ଏହି ଦମଦାର ପ୍ରଦର୍ଶନକୁ ନେଇ ଏବେ ସବୁଠି ଚର୍ଚ୍ଚା।
