ଭୁବନେଶ୍ୱର : ରାଜ୍ୟ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଓଡିଶାରେ ବାଜିଛି ନିର୍ବାଚନ ବିଗୁଲ । କିଏ ରାଜ୍ୟସଭା ଯିବ ତାହାକୁ ନେଇ ଅବଗଣନା ଆରମ୍ଭ ହୋଇଥିବାବେଳେ ଏଥର ଜଣେ ଗାନ୍ଧୀବାଦୀ କିମ୍ବା ଗାନ୍ଧୀ ଚିନ୍ତାଧାରାର ବ୍ୟକ୍ତି ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ସମଗ୍ର ଦେଶରେ ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ହେଉଥିବାବେଳେ ଓଡିଶାରୁ ଏଭଳି ଜଣେ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠେଇ ଓଡିଶା ଉଦାହରଣ ସାଜିବ ବୋଲି ଆଲୋଚନା ଚାଲିଛି । ଏଥର ଓଡିଶାରୁ ଚାରି ଜଣ ରାଜ୍ୟସଭାକୁ ଯିବେ । ଅନୁଭବ ମହାନ୍ତି, ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ ଓ ରଞ୍ଜୀବ ବିଶ୍ୱାଳଙ୍କ ସ୍ଥାନରେ ଚାରିଜଣ ନିର୍ବାଚିତ ହେବେ । ଯେହେତୁ ବିଜେଡି ହାତରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ରହିଛି ତେଣୁ ଏହି ଦଳ ଯାହାକୁ ଚାହିଁବ ସିଏ ରାଜ୍ୟସଭା ଯିବ ।
ବିଜେପି ଓ କଂଗ୍ରେସ ହାତରେ ଏକାକୀ ସଂଖ୍ୟାଗରିଷ୍ଠତା ନଥିବାବେଳେ ଦୁଇଦଳ ହାତ ମିଳାଇ ଜଣକୁ ରାଜ୍ୟସଭା ପଠାଇବାର ବି ସମ୍ଭାବନା ନାହିଁ । ତେଣୁ ଯଦି ଗତଥର ଭଳି ବିଜେପି କୋଟାରୁ କେହି ନଯିବେ ତେବେ ବିଜେଡି ତାହାର ଚାରିଜଣ ସଦସ୍ୟଙ୍କୁ ରାଜ୍ୟସଭା ପଠାଇବାଟା ଏକ ପ୍ରକାର ଥୟ । ତେବେ ହେଉଥିବା ଆଲୋଚନା ଅନୁଯାୟୀ ବିଜେଡି ତାହାର ମହିଳା କାର୍ଡ ଖେଳି ଜଣେ କିମ୍ବା ଦୁଇ ଜଣ ମହିଳାଙ୍କୁ ରାଜ୍ୟସଭା ପଠାଇବାର ସମ୍ଭାବନା ଥିବାବେଳେ ଜଣେ ଗାନ୍ଧୀବାଦୀଙ୍କୁ ରାଜ୍ୟସଭାକୁ ପଠାଇପାରେ । ଏଥିପାଇଁ ଯଦିଓ ସେଭଳି କିଛି ପ୍ରଚାର ହୋଇନାହିଁ ତେବେ ଭିତିରିଆ ଭାବେ ଦଳ ପକ୍ଷରୁ ପ୍ରାର୍ଥୀ ଖୋଜା ଚାଲିଛି । ଏଥିପାଇଁ ଗାନ୍ଧୀ ବିଚାରଧାରାର ଯେଉଁ ବ୍ୟକ୍ତିଙ୍କୁ ବିଜେଡି ରାଜ୍ୟସଭା ପଠାଇବ ତାଙ୍କର ପୂର୍ବାପର ବିଷୟରେ ସମ୍ପୂର୍ଣ୍ଣ ଭାବେ ସୂଚନା ସଂଗ୍ରହ କରାଯାଉଛି । ଏଥି ସହିତ ଉକ୍ତ ବ୍ୟକ୍ତିଙ୍କର ଶିକ୍ଷାଗତ ଓ ଚାରିତ୍ରିକ ଯୋଗ୍ୟତାକୁ ମଧ୍ୟ ମାପକାଠି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଗାନ୍ଧୀଙ୍କ ୧୫୦ତମ ଜନ୍ମ ଵାର୍ଷିକ ପାଳନ ଅବସରରେ ଓଡଶି ।
ସରକାର ଅନେକ କାର୍ଯ୍ୟକ୍ରମହାତକୁ ନେଇଥିବାବେଳେ ସମ୍ବିଧାନର ମୁଖବନ୍ଧରେ ଗାନ୍ଧୀଙ୍କ ଅହିଂସା ଶବ୍ଦ ରଖିବାକୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲେ । ଇତି ମଧ୍ୟରେ ରାଜ୍ୟ ସ୍ତରରେ ମଧ୍ୟ ଗାନ୍ଧୀଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ତେଣୁ ଏଭଳି ସ୍ଥିତିରେ ଜଣେ ଗାନ୍ଧୀବାଦୀଙ୍କୁ ରାଜ୍ୟସଭା ପଠାଯାଇ ପାରିଲେ ତାହା ସମଗ୍ର ଦେଶପାଇଁ ବଡ ଉଦାହରଣ ହୋଇପାରିବ ବୋଲି ଦଳର କିଛି ନେତା ମତ ଦେଇଛନ୍ତି । ତେବେ ରାଜ୍ୟ ଓ କେନ୍ଦ୍ରରେ ଚାଲିଥିବା ରାଜନୀତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡାନ୍ତ ନିଷ୍ପତ୍ତି ନେବେ । ଯଦି ବିଜେପି ଗତ ଥର ଭଳି ବିଜେଡି ଉପରେ ଚାପ ପକାଇ ଏଥର ଗୋଟିଏ ରାଜ୍ୟସଭା ପଦବୀ ହାତେଇବାପାଇଁ ଉଦ୍ୟମ କରେ ତେବେ ତାହାକୁ ଗାନ୍ଧୀ ପ୍ରାର୍ଥୀ ଅସ୍ତ୍ରରେ ପରାହତ ଲାଗି ଗୋଟି ଚାଳନାର ସମ୍ଭାବନା ରହିଛି