ନୂଆଦିଲ୍ଲୀ : ଦିଲ୍ଲୀ ହିଂସାରେ ବଢୁଛି ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଥିବା ବେଳେ ଆହୁରି ବଢିବା ଆଶଂକା ରହିଛି । ଅଧିକାଂଶ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଆହତଙ୍କ ମଧ୍ୟରୁ ୩୦ ପ୍ରତିଶତ ଗୁଳିମାଡ଼ ଖାଇଥିବା ବେଳେ ୩୦ ପ୍ରତିଶତ ଛୁରୀ ଓ ଖଣ୍ଡାରେ ହଣାହଣି ହୋଇଛନ୍ତି । କେବଳ ଜିଟିବି ହସ୍ପିଟାଲରେ ୨ ଶହରୁ ଅଧିକ ଲୋକ ଭର୍ତ୍ତି ହୋଇଛନ୍ତି ।
ସମଗ୍ର ପୂର୍ବ ଦିଲ୍ଲୀ ଅଶାନ୍ତ ରହିଛି । ଯୁଆଡେ ଚାହିଁଲେ ଜଳାପୋଡା ଓ ଭଂଗାରୁଜାର ବିଭତ୍ସ ଦୃଶ୍ୟ । ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଫ୍ଲାଗ୍ମାର୍ଚ୍ଚ କରୁଛନ୍ତି । ଗତକାଲି ଉତ୍ତେଜନା ଥିବା ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା । ଏଣିକି ସ୍ଥିତି ଶାନ୍ତ ପଡିବ ବୋଲି ଆଶ୍ୱାସନା ଦେଇଛନ୍ତି । ସେପଟେ ଆଜି ପୂର୍ବ ଦିଲ୍ଲୀର ୮୦ଟି କେନ୍ଦ୍ରରେ ଯୁକ୍ତ ଦୁଇ ସିବିଏସଇ ଇଂରାଜୀ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ପରେ ପରୀକ୍ଷା ତାରିଖ ଘୋଷଣା ହେବ ।