କଟକ : କଟକ ମହାନଦୀ ବିହାର ସ୍ଥିତ ଏକ ନାମୀ ଦାମୀ ମଣ୍ଡପରେ ଚାଲିଥିଲା ବାହାଘର ଆୟୋଜନ । ବେଶ୍ ହସ ଖୁସିରେ ଥିଲେ ଉଭୟ ବର ଓ କନ୍ୟାପକ୍ଷ । କିଛି ସମୟ ପରେ ବେଦୀରେ ଆରମ୍ଭ ହୋଇଥାନ୍ତା ମାଙ୍ଗଳିକ କାର୍ଯ୍ୟ ଆଉ ପଡ଼ିଥାନ୍ତା ହାତଗଣ୍ଠି । ହେଲେ ତା ପୂର୍ବରୁ ମାଡ଼ି ଆସିଲା ଏକ ଅଜଣା ଝଡ଼ । ଜଣେ ଯୁବତୀ ଆସି ପ୍ରତିବାଦ କଲେ । ଅଭିଯୋଗ କଲେ ଯେ ଏବେ ବର ସାଜିଥିବା ଯୁବକ ପ୍ରିୟ ରଞ୍ଜନ ପତି ପୂର୍ବରୁ ବିବାହିତ । ତାଙ୍କ ସହିତ ରେଜିଷ୍ଟ୍ରି ମ୍ୟାରେଜ୍ କରି ସାରିଛନ୍ତି । ଯୁବତୀଙ୍କ ସାଙ୍ଗରେ ଥିଲେ ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ।
ଯୁବକ ପ୍ରିୟ ରଞ୍ଜନଙ୍କ ଘର ହେଉଛି କଟକ ଦେଉଳ ସାହିରେ । ଖପୁରିଆ ଆଇଟିଆଇରେ ତାଙ୍କ ସହ ଯୁବତୀ ଜଣକର ସମ୍ପର୍କ ଗଢ଼ି ଉଠିଥିଲା । ପରେ ସେମାନେ କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ୍ କରିଥିଲେ । ଯାହାର ପ୍ରମାଣ ହେଉଛି ମ୍ୟାରେଜ୍ ସାର୍ଟିଫିକେଟ୍ । ତେବେ ଗତ କିଛି ମାସ ହେଲା ପ୍ରିୟ ରଞ୍ଜନ ତାଙ୍କ ସହ ଆଉ କୌଣସି ସମ୍ପର୍କ ରଖୁ ନଥିଲେ । ଆଜି ଅଚାନକ ତାଙ୍କ ବାହାଘର ବିଷୟରେ ଖବର ପାଇ ଯୁବତୀ ଜଣକ ହତବାକ୍ ହୋଇଗଲେ ଏବଂ ତୁରନ୍ତ ବିବାହ ବନ୍ଦ ପାଇଁ ଆଇନ୍ର ସହାୟତା ନେଇଛନ୍ତି । ତାଙ୍କ ଅଭିଯୋଗ ପରେ ପୋଲିସ୍ ଅଟକ ରଖିଛି ବର ପ୍ରିୟ ରଞ୍ଜନଙ୍କୁ ।
ଯୁବକ ପ୍ରିୟ ରଞ୍ଜନ କାହିଁକି ଏଭଳି କାମ କରିଛନ୍ତି ସେ କଥା ସ୍ପଷ୍ଟ ହୋଇନଥିଲେ ବି ଏହି ହାଇପ୍ରୋଫାଇଲ୍ ବାହାଘର ଅଧାରୁ ବନ୍ଦ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ସବୁଠାରୁ ଆଘାତ ପାଇଛନ୍ତି ଝିଅ ଘର, ବେଦୀକୁ ଆସିବା ପୂର୍ବରୁ ଯାହାର ସ୍ୱପ୍ନ ଭାଙ୍ଗି ଯାଇଛି ଏଭଳି ବିଶ୍ୱାସଘାତକତାରେ । ଆଉ ମିଷ୍ଟର ରୋମିଓ କେବଳ ଜଣକର ନୁହେଁ ଦୁଇ ଦୁଇଟି ପରିବାରରେ ବୁଣି ଦେଇଛନ୍ତି ଦାରୁଣ ଦୁଃଖର ମଞ୍ଜି ।