Odia News Portal

ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆଙ୍କ ସହ ଅନେକ ବରିଷ୍ଠ ନେତା

ନୂଆଦିଲ୍ଲୀ : ଦିଲ୍ଲୀରେ ଦଖାଦେଇଥିବା ହିଂସାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଅନେକ ବରିଷ୍ଠ ନେତା ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତିଙ୍କୁ ସୋନିଆଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀ, ଅହମ୍ମଦ ପଟେଲ, ଗୁଲାମନଦୀ ଆଜାଦ, ରଣଦୀପ ସୁରେଜଓ୍ୱାଲ ଆଦି ନେତା ଭେଟିଥିଲେ।

ସାକ୍ଷାତକାର ପରେ ମନମୋହନ ସିଂ କହିଛନ୍ତି ଯେ, ଗତ କିଛିଦିନ ହେବ ଦିଲ୍ଲୀରେ ଯେଉଁ ହିଂସା ଦେଖାଦେଇଛି ତାହା ଅତି ଚିନ୍ତାଜନକ ଅଟେ। ଏହା ରାଷ୍ଟ୍ରୀୟ ଲଜ୍ଜା ବୋଲି ସେ କହିଛନ୍ତି। ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ସରକାର ରାଜଧର୍ମ ପାଳନ କରନ୍ତୁ ବୋଲି ରାଷ୍ଟ୍ରପତିଙ୍କ ସହ ଆଲୋଚନା ହୋଇଥିବା ସେ ପ୍ରକାଶ କରିଛନ୍ତି।

ସୋନିଆ ଗାନ୍ଧୀ କହିଛନ୍ତି ଯେ, ସିଡବ୍ଲୁସି ବୈଠକରେ ଦିଲ୍ଲୀ ସ୍ଥିତି ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଦାବି ମଧ୍ୟ ଉପସ୍ଥାପନ କରାଯାଇଛି। ଏହାସହ କେନ୍ଦ୍ର ଓ ଦିଲ୍ଲୀ ସରକାର କେବଳ ମୁକଦର୍ଶକ ପାଲଟିଛନ୍ତି। ଗୃହମନ୍ତ୍ରୀ ଓ ପ୍ରଶାସନର ନିଷ୍କ୍ରିୟତା ପାଇଁ ହିଂସାକାଣ୍ଡ ବ୍ୟାପକ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି।

ଦଳ ତରଫରୁ କୁହାଯାଇଛି ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବରଖାସ୍ତ କରାଯାଉ। ସେ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ। ନାଗରକିଙ୍କ ଜୀବନ, ସମ୍ପଦ ଓ ସ୍ୱାଧିନତା ରଖିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ। ସୂଚନାଯୋଗ୍ୟ, ଉତ୍ତରପୂର୍ବ ଦିଲ୍ଲୀରେ ଦେଖାଦେଇଥିବା ହିଂସାକାଣ୍ଡରେ ଏବେ ସୁଦ୍ଧା ୩୫ଜଣ ପ୍ରାଣ ହରାଇଛନ୍ତି। ଏହାସହ ୨୦୦ରୁ ଅଧିକ ଆହତ ହୋଇଛନ୍ତି।