Odia News Portal

ପୂର୍ବ ଭାରତରେ ବିଜେପିର ଭରସା ନବୀନ

ଭୁବନେଶ୍ୱର : ନବୀନ ନିବାସରେ ମଧ୍ୟାହ୍ନଭୋଜନ ଅବସରରେ ଦୁଇ ସିଏଏ ବିରୋଧି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ମମତା ବାନାର୍ଜୀଙ୍କ ସହିତ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯେଭଳି ଗୋଟିଏ ଟେବୁଲରେ ବସିଲେ ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହେଲା । ରାଜନୀତିର ଏଭଳି ପଟ୍ଟପରିବର୍ତ୍ତନରେ ପୂର୍ବ ଭାରତରେ ବିଜେପି ପାଇଁ ନବୀନ ଏକମାତ୍ର ଭରସା ବୋଲି କୁହାଯାଉଛି । କେନ୍ଦ୍ର ସରକାର ଦେଶରେ ସିଏଏ ଲାଗୁ କରବାପରେ ଏହାକୁ କେତେକ ରାଜ୍ୟ କଡା ବିରୋଧ କରୁଛନ୍ତି । ଏହି ବିରୋଧକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ମମତା ଓ ନୀତିଶ । ଦୁଇ ରାଜ୍ୟ ଏହି କେନ୍ଦ୍ରୀୟ ଆଇନ୍‍କୁ ସେମାନଙ୍କ ରାଜ୍ୟରେ ଲାଗୁ କରିବେନାହିଁ ବୋଲି ଘୋଷଣା ସହିତ ବିଧାନସଭାରେ ସଙ୍କଳ୍ପ ପାରିତ କରିଛନ୍ତି । ଫଳରେ ବିଜେପି ଚିନ୍ତାରେ ପଡିଛି । କାରଣ ଆଗକୁ ଅଛି ଉଭୟ ପଶ୍ଚିମବଙ୍ଗ ଓ ବିହାରରେ ବିଧାନସଭା ନିର୍ବାଚନ ।

 

ସିଏଏ ନେଇ ଯଦି ଦୁଇ ନେତା ନରମନ୍ତି ତେବେ ବିଜେପିକୁକ ଦିଲ୍ଲୀ ଭଳି ଅବସ୍ଥା ଭୋଗିବାକୁ ପଡିବ ବୋଲି କେନ୍ଦ୍ରୀୟ ବିଜେପି ନେତାମାନେ ଆକଳନ କରିଛନ୍ତି । ମମତାଙ୍କ ସହିତ ବିଜେପିର ସମ୍ପର୍କ ଏତେ ତିକ୍ତ ଯେ କେନ୍ଦ୍ରୀୟ ବିଜେପି ନେତାମାନେ ପଶ୍ଚିମବଙ୍ଗରେ ସଭାଟିଏ କରିବାପାଇଁ ଶହେଥର ଚିନ୍ତା କରୁଛନ୍ତି । ମମତାଙ୍କ ବିଶାଳ ସିଏଏ ବିରୋଧି ରାଲି ବିଜେପି ନେତାମାନଙ୍କ ଏକ ପ୍ରକାର ନିଦ ହଜାଇ ଦେଇଛି । କାରଣ ମମତା ଯଦି ସିଏଏକୁ ଅସ୍ତ୍ର କରନ୍ତି ତେବେ ପଶ୍ଚିମବଙ୍ଗ ବିଧାନସଭାରେ କ୍ଷମତା ଦଖଲ ପାଇଁ ବିଜେପି ଦୀର୍ଘଦିନରୁ ଯେଉଁ ସ୍ୱପ୍ନ ଦେଖୁଛି ତାହା ସାକାର ହୋଇପାରିବ ନାହିଁ । ଅନୁରୂପ ଅବସ୍ଥା ବିହାରରେ । ଏକଦା ବିଜେପିର ମିତ୍ର ଥିବା ନୀତିଶ ଏବେ ସିଏଏକୁ ଅସ୍ତ୍ର କରି ଏକାକୀ କ୍ଷମତାକୁ ଫେରିବା ମତଲବରେ ଅଛନ୍ତି । ତେଣୁ ବିହାରରେ ବି ସିଏଏକୁ ଘୋର ବିରୋଧ । ଏହି ଦୁଇ ନେତାଙ୍କୁ ମନାଇବାପାଇଁ ବିଜେପି ମଉକା ଖୋଜୁଥିଲା । ଯାହା ନବୀନ ନିବାସରେ ସମ୍ଭବ ହେଲାବୋଲି କୁହାଯାଉଛି ।

 

କେନ୍ଦ୍ରୀୟ ବିଜେପି ନେତାମାନେ ସିଏଏ ସପକ୍ଷରେ ଯେତେ ସଭା ସମିତି କଲେ ବି ଦେଶର ବିଭିନ୍ନ ସ୍ଥାନ ଏପରିକି ରାଜଧାନୀ ଦିଲ୍ଲରେ ସିଏଏ ବିରୋଧି ସ୍ୱର ଜାରି ରହିଛି । ଏଭଳି ସ୍ଥିତିରେ ପୂର୍ବାଞ୍ଚଳ ବୈଠକ ଆଳରେ ଅମିତ ଶାହା ଯେଭଳି ଭାବେ ଗୋଟିଏ ଟେବୁଲରେ ନୀତିଶ ଓ ମମତାଙ୍କୁ ଭେଟିଲେ ତାହା ଦେଶ ପାଇଁ ଭିନ୍ନ ସନ୍ଦେସ ଦେଇଛିା ଯଦିଓ ନୀତିଶ କିମ୍ବା ମମତା ଏ ନେଇ କିଛି ମୁହଁ ଖୋଲି ନାହାନ୍ତି ହେଲେ ବିଜେପି ଶିବିରରେ ଉତ୍ସାହ ଦେଖା ଦେଇଛି ା ଏସବୁ ସମ୍ଭବ ହୋଇଛି କେବଳ ନବୀନଙ୍କ ପାଇଁ । ଯଦି ବିଜେପି ନେତମାନେ ଦୁଇ ରାଜ୍ୟରେ କିଛି ବି ସଫଳ ହେବେ ତାହାର ବଡ ଶ୍ରେୟ ନବୀନଙ୍କୁ ଯିବ । ଏଭଳି ସ୍ଥିତିରେ ପୂବାଞ୍ଚଳରେ ନବୀନ ବିଜେପିର ଭରସା ବୋଲି ରାଜନୈତିକ ବିଶ୍ଲେଷକମାନେ କହିବା ଆରମ୍ଭ କରିଛନ୍ତି ।