Odia News Portal

ଭାରତ ଆୟତ୍ତରେ କରୋନା, ଧିରେ ଧିରେ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି

ନୂଆଦିଲ୍ଲୀ : କରୋନାକୁ ନେଇ ଦେଶରେ ଏବେ ଆତଙ୍କର ବାତାବରଣ ଖେଳିଥିବା ବେଳେ , ଏକ ଭଲ ଖବର ମଧ୍ୟ ସାମନାକୁ ଆସିଛି । ରାଜସ୍ଥାନର ଆଉ ୩ ଜଣ କରୋନା ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏହା ସହ ଦେଶରେ ସମୁଦାୟ ୧୩ ଜଣ କରୋନା ସଂକ୍ରମିତ ବ୍ୟକ୍ତି ମୁକ୍ତ ହୋଇଛନ୍ତି । ଯାହାକି ଦେଶରେ ଏକ ସକରାତ୍ମକ ବାର୍ତ୍ତା ଦେଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି , ରବିବାର ରାତି ସୁଦ୍ଧା ସାରାଦେଶରେ ସମୁଦାୟ କୋଭିଡ୍-୧୯ ମାମଲା  ୧୧୦  ଥିଲା । ଯେଉଁଥିରେ ବିଦେଶୀ ନାଗରିକ ମଧ୍ୟ ସାମିଲ । ୧୫ ମାର୍ଚ୍ଚ ରାତି ୧୧.୩୦ରେ  ସମୁଦାୟ ୧୨,୭୬,୦୪୬  ଯାତ୍ରୀଙ୍କୁ  ଏୟାରପୋର୍ଟରେ ସ୍କ୍ରିନଂ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

ଏକ ଟ୍ୱିଟ୍‌ ଜରିଆରେ ସେ କହିଛନ୍ତି , ବର୍ତ୍ତମାନ ୩ ଜଣେ କରୋନା ଭାଇରସ୍‌ରୁ ମୁକ୍ତ ।  ଏଣୁ  ଦେଶରେ  କୋଭିଡ୍-୧୯ ମୁକ୍ତ ସମୁଦାୟ ରୋଗୀ ସଂଖ୍ୟା  ୧୩ । ଆଉ ମଧ୍ୟ ଭାରତରେ ଏହି ଭାଇରସର ପ୍ରକୋପ ସତ୍ତ୍ୱେ ଦିଲ୍ଲୀରେ ୭ଟି ମାମଲାରୁ ୨ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶରେ ମୋଟ୍‌ରେ ଏବେସୁଦ୍ଧା ୨ ଜଣଙ୍କର  ମୃତ୍ୟୁ ହୋଇଛି ଏବଂ ସେଥିରୁ ଜଣେ  କର୍ଣ୍ଣାଟକର ଥିଲେ ।

ଦେଶରେ ପୁରା ଦମ୍‌ରେ କରୋନା ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି । ଏଥିରେ କୋଭିଡ୍-୧୯ର ସାମ୍ପଲ ସଂଗ୍ରହ ପାଇଁ ସାହାଯ୍ୟ କରୁଛନ୍ତି  ୫୨ଟି ଲ୍ୟାବ୍‌ ଓ ୭୫ଟି ଲାବରେଟୋରି।