ମୁମ୍ବାଇ : କେବେ ଦିନେ ସେ ଥିଲେ ଇଣ୍ଡିଆନ ଆଇଡ଼ଲ ପ୍ରତିଯୋଗୀ । ଆଜି ସେ ବଲିଉଡ ଜଗତର ଜଣେ ନାମୀ ଗାୟିକା । ଆମେ କହୁଛୁ ବଲିଉଡର ଚୁଲବୁଲି ଗାୟିକା ନେହା କକ୍କଡଙ୍କ ସମ୍ପର୍କରେ । ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କ ଡିମାଣ୍ଡ ବହୁତ ବେଶୀ । ତାଙ୍କ ଗୀତଗୁଡିକ ପ୍ରଶଂସକଙ୍କ ମନ କିଣିବା ସହ ହିଟ ହେବାରେ ଲାଗିଛି । ସେ ରିଆଲିଟି ଶୋ ଇଣ୍ଡିଆନ ଆଇଡ଼ଲ ମଧ୍ୟ ହୋଷ୍ଟ କରୁଛନ୍ତି । ସେ ନିଜ ମ୍ୟୁଜିକ ଭିଡିଓରେ ନିଜେ ଅଭିନୟ ମଧ୍ୟ କରିଥାନ୍ତି । ନେହାଙ୍କ ବଲିଉଡ ଜଗତକୁ ଏଣ୍ଟ୍ରିକୁ ନେଇ ପ୍ରଶଂସକ ଆଶାୟୀ ।
ତେବେ ନେହା ଫିଲ୍ମରେ କେବେ ନଜର ଆସିବେ, ଅଭିନୟ ଜଗତରେ କେବେ ପାଦ ଥାପିବେ ସେନେଇ ଉଠିଛି ପ୍ରଶ୍ନ । ଏକ ସାକ୍ଷାତକାରରେ ନେହା ଏନେଇ ଖୁଲାସା କରିଛନ୍ତି । ତେବେ ସେ କହିଛନ୍ତି ଯେ, ଯେତେବେଳେ ସେ ନିଜେ ସୁନିଶ୍ଚିତ ହେବେ ଯେ ତାଙ୍କ ଅଭିନୀତ ଫିଲ୍ମ ବକ୍ସ ଅଫିସରେ ହିଟ ହେବ ସେତେବେଳେ ସେ ନିଶ୍ଚୟ ଅଭିନୟ କରିବେ । ସେ ଆହୁରି କହିଛନ୍ତି ଯେ, ଯେଉଁ ଗାୟକ ଗାୟିକାମାନେ ଫିଲ୍ମରେ ନିଜ କ୍ୟାରିଅର ଗଢିବା ପାଇଁ ଚେଷ୍ଟା କରିଛନ୍ତି କେହି ମଧ୍ୟ ସଫଳ ହୋଇନାହାନ୍ତି । ତେବେ ସେ ଜାଣିଶୁଣି ଏହିଭଳି କୌଣସି ଭୁଲ କରିବାକୁ ଚାହୁଁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଯଦି ଫିଲ୍ମ ହିଟ ହେଲାଭଳି କାହାଣୀ ପାଆନ୍ତି ତାହେଲେ ସେ ଫିଲ୍ମ ସାଇନ କରିବେ ନହେଲେ କରିବେ ନାହିଁ ବୋଲି କହିଛନ୍ତି ।
ସେ କହିଛନ୍ତି କେବଳ ଅଭିନୟ ପାଇଁ ସେ ଫିଲ୍ମ ଜଗତକୁ ଏଣ୍ଟ୍ରି କରିବେ ନାହିଁ ଏଥିରୁ ସ୍ପଷ୍ଟ ଯେ, ନେହା ଅଭିନୟ ଜଗତକୁ ଆସିବା ପାଇଁ ଭଲ ପ୍ରୋଜେକ୍ଟକୁ ଅପେକ୍ଷା କରିଛନ୍ତି ।
ତେବେ ଭଲ ପ୍ରୋଜେକ୍ଟ ନେହାଙ୍କୁ କେବେ ମିଳିବ ତାହା କୁହାଯାଇ ପାରିବନାହିଁ । ସେ ଜଣେ ହିଟ ଷ୍ଟାର । କେବଳ ବଡ ପରଦାରେ ନଜର ଆସିବା ପାଇଁ ସେ ଫିଲ୍ମ ସାଇନ କରିବାକୁ ଚାହୁଁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଗାୟକ ଗାୟିକା ଅଭିନୟ ଜଗତରେ ପାଦ ଥାପିଛନ୍ତି । ସୋନୁ ନିଗମ, ଶାନ, ମିକା ସିଂ, ହିମେଷ ରେସମୀୟା ବଲିଉଡର ନିଜ ଭାଗ୍ୟ ପରୀକ୍ଷା କରିସାରିଛନ୍ତି ଏବଂ କେହି ମଧ୍ୟ ସଫଳ ହୋଇପାରିନାହାନ୍ତି ।
