ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ୧୨ ଦିନ ଧରି ଡେରା ପକାଇଥିବା କଂଗ୍ରେସର ବିଦ୍ରୋହୀ ୨୧ ପୂର୍ବତନ ବିଧାୟକ ଶନିବାର ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ସଭାପତି ଜେପି ନଡ୍ଡା ଏହି ସବୁ ନେତାଙ୍କୁ ସଦସ୍ୟତା ଦେଇଛନ୍ତି। ବିସାହୁଲାଲ ସାହୁ ପୂର୍ବରୁ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। ଏହି ସବୁ ନେତା ବେଙ୍ଗାଲୁରୁରୁ ଫେରି ଦିଲ୍ଲୀ ପହଞ୍ଚିଥିଲେ। ପ୍ରଥମେ ସବୁ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଥିଲେ। ଏହାପରେ ସମସ୍ତେ ବିଜେପି ସଭାପତି ଜେପି ନଡ୍ଡାଙ୍କ ବାସଭବନରେ ପହଞ୍ଚିଥିଲେ। ଏହି ସମୟରେ କୈଳାଶ ବିଜୟବର୍ଗୀ, ନରେନ୍ଦ୍ର ସିଂହ ତୋମାର ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଆଜି ସବୁ ନେତା ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟି ପାରନ୍ତି। ଏହା ପରେ ଆଗାମୀ ରଣନୀତି ବିଷୟରେ ଆଲୋଚନା ହେବ।
ଏହା ପୂର୍ବରୁ ସମସ୍ତ ପୂର୍ବତନ ବିଧାୟକ ଚାର୍ଟର୍ଡ ବିମାନରେ ଦିଲ୍ଲୀ ପହଞ୍ଚିଥିଲେ। ସମସ୍ତଙ୍କର ଆଜି ରାତି ଭୋପାଳ ପହଞ୍ଚିବାର ସମ୍ଭାବନା ରହିଛି। ୨୨ ବିଧାୟକ ଇସ୍ତଫା ପରେ ମଧ୍ୟ ପ୍ରଦେଶରେ ୧୫ ମାସର କମଲନାଥ ସରକାର ସଂଖ୍ୟା ଲଘୁରେ ପରିଣତ ହୋଇଥିଲା। ଏହା ପରେ ଶୁକ୍ରବାର କମଲନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
୧୮ ସିନ୍ଧିଆଙ୍କ ସମର୍ଥକ, ୪ ସରକାର ପ୍ରତି ଅସନ୍ତୁଷ୍ଟ
ବେଙ୍ଗାଲୁରୁରେ ଇସ୍ତଫା ଦେଇଥିବା ୧୮ ବିଧାୟକ ସିନ୍ଧିଆ ସମର୍ଥକ। ୪ ଜଣ ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିଲେ। ଏଥିରୁ ୧୬ ବିଧାୟକ ଗ୍ଵାଲିୟର-ଚମ୍ବଲରୁ ଆସିଛନ୍ତି ଏବଂ ଏହି ଅଞ୍ଚଳରେ ସିନ୍ଧିଆଙ୍କ ପତିଆରା ରହିଛି। ଉପ ନିର୍ବାଚନରେ ସିନ୍ଧିଆଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଶିବରାଜ ସିଂହ ଚୌହାନଙ୍କ ଫ୍ୟାକ୍ଟର ମଧ୍ୟ କାମ କରିବ। କଂଗ୍ରେସ ଏଥର ସିନ୍ଧିଆଙ୍କ ବିନା ହିଁ ଏହି ସିଟ୍ରେ ନିର୍ବାଚନ ଲଢିବ।
ଉପ ନିର୍ବାଚନରେ ନିର୍ଭର ବିଦ୍ରୋହୀଙ୍କ ଭବିଷ୍ୟତ
୨୨ ବିଦ୍ରୋହୀଙ୍କ ଇସ୍ତଫା ଏବଂ ଦୁଇ ବିଧାୟକଙ୍କ ନିଧନରେ ରାଜ୍ୟରେ ଖାଲି ପଡିଥିବା ୨୪ ଆସନରେ ଛଅ ମାସ ଭିତରେ ଉପ ନିର୍ବାଚନ ହେବା। ଅର୍ଥାତ ଏହି ୨୨ ବିଧାୟକଙ୍କ ଭବିଷ୍ୟତ ଉପ ନିର୍ବାଚନ ଉପରେ ରହିଛି। ସମ୍ଭବତଃ ମେ-ଜୁନରେ ନିର୍ବାଚନ ଆୟୋଗ ନିର୍ବାଚନ କରାଇ ପାରନ୍ତି। ଉପ ନିର୍ବାଚନରେ ଫଳାଫଳ ସ୍ଥିର କରିବ ଯେ, ନୂତନ ସରକାର ସଂଖ୍ୟା ଗରିଷ୍ଠତା ହାସଲ କରିବ ନା ଅସ୍ଥିରତା ଦେଇ ମଧ୍ୟ ପ୍ରଦେଶର ରାଜନୀତି ଝୁଲିବ।
ବିଜେପି ବିଧାୟକ ଦଳର ବୈଠକ ଘୁଞ୍ଚିଲା
ବିଜେପି ବିଧାୟକ ଦଳର ବୈଠକ ଶନିବାର ହେବ ବୋଲି ସ୍ଥିର ହୋଇଥିଲା। ମାତ୍ର କରୋନା ଭୂତାଣୁ କାରଣରୁ ବୈଠକ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏଥିରେ ବିଧାୟକ ଦଳର ନେତା ଚୟନ କରାଯିବ। ଏଥିପାଇଁ ଦିଲ୍ଲୀରୁ ପର୍ଯ୍ୟବେକ୍ଷକ ଭାବେ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ବିନୟ ସହସ୍ରବୁଦ୍ଧେ ଭୋପାଳ ଆସି ପାରନ୍ତି। ମାର୍ଚ୍ଚ ୨୫ରେ ନବରାତ୍ରର ଘଟ ସ୍ଥାପନ ସହିତ ବିଜେପି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରି ପାରେ। ଜନତା କର୍ଫ୍ୟୁ କାରଣରୁ ଶପଥ ସମାରୋହ ବିଳମ୍ବ ଘଟିପାରେ।
