କରୋନା ଭାଇରସର ଆତଙ୍କ ଏବେ ସାରା ବିଶ୍ୱକୁ ଗ୍ରାସିଛି। କରୋନା ଯୋଗୁ ପ୍ରତିଦିନ ଶହ ଶହ ଲୋକଙ୍କ ଯାଉଥିବାରୁ ସବୁ ଦେଶ ଏବେ ଚିନ୍ତିତ। ଏହି ବେମାରି କବଳରୁ ଲୋକଙ୍କୁ ରକ୍ଷା କରିବାକୁ ଏବେ ସବୁ ଦେଶ ଯଥାସାଧ୍ୟ ଚେଷ୍ଟା କରୁଛି। କରୋନାକୁ ରୋକିବାର ଏକ ମାତ୍ର ବାଟ ସାମାଜିକ ଦୂରତ୍ୱ ବଜାୟ ରଖିବା। ପରସ୍ପର ଠାରୁ ଦୂରରେ ରହିଲେ ହିଁ ରୋଗକୁ ବ୍ୟାପିବାରୁ ରୋକା ଯାଇପାରିବ। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତକୁ ୨୧ ଦିନ ଯାଏଁ ଲକଡାଉନ୍ କରିବାକୁ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ସମସ୍ତେ ସ୍ୱାଗତ କରିଛନ୍ତି। ଲକଡାଉନକୁ ନେଇ କ୍ରିକେଟ ଷ୍ଟାର ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପ୍ରତିକ୍ରିୟା ଟ୍ୱିଟରରେ ଜଣାଇଛନ୍ତି।
ମୋଦିଙ୍କ ଘୋଷଣାକୁ ସମର୍ଥନ ଜଣାଇ ବିରାଟ ଓ ଅନୁଷ୍କା କହିଛନ୍ତି ଯେ କରୋନା ଭାଇରସ ସହ ଯୁଦ୍ଧ ଜିତିବାକୁ ସମୟ ଲାଗିବ, ଧୌର୍ଯ୍ୟ ରଖନ୍ତୁ। ଆସନ୍ତା ୨୧ ଦିନ ଯାଏଁ ସଂଯମତା ରକ୍ଷା କରନ୍ତୁ। କରୋନା ଭାଇରସକୁ ନିଜ ଠାରୁ ଦୂରେଇ ରଖିବାକୁ ସମସ୍ତ ଆବଶ୍ୟକ କାମ କରନ୍ତୁ। ନିଜକୁ ଓ ନିଜ ପରିବାରକୁ ବଞ୍ଚାନ୍ତୁ। କର୍ଫ୍ୟୁକୁ ଆଦୌ ଉଲ୍ଲଂଘନ କରନ୍ତୁ ନାହିଁ। କରୋନା ଭାଇରସକୁ ରୋକିବାକୁ ଏହା ଜରୁରୀ। ଘରୁ ବାହାରି ମୋର୍ଚ୍ଚା କରି ରାସ୍ତାରେ ବୁଲିଲେ କରୋନା ଦୂର ହେବନି ବରଂ ଆପଣ ନିଜେ ଏଥିରେ ସଂକ୍ରମିତ ହେବେ। ଅନ୍ଧବିଶ୍ୱାସ କିମ୍ବା କୌଣସି ଗୁଜବ ଶୁଣି କିଛି କରନ୍ତୁ ନାହିଁ, ଏହା ନିଜ ଜୀବନ ପ୍ରତି ବିପଦ ଆଣିବ। ଜଣଙ୍କର ମୂର୍ଖାମୀ ଯୋଗୁ ସାରା ଦେଶ ବିପଦ ମୁହଁକୁ ଠେଲି ହୋଇଯିବ। କରୋନାକୁ ପ୍ରତିହତ କରିବାକୁ ମାତ୍ର ୨୧ ଦିନ ଯାଏଁ ସାରା ଦେଶ ଘରେ ରହିବା ଜରୁରୀ । ଏକତା ଦେଖାନ୍ତୁ ଜୀବନ ଓ ଦେଶକୁ ବଞ୍ଚାନ୍ତୁ।
ବିରାଟ କୋହଲିଙ୍କ ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ୧.୨୭ ଲକ୍ଷ ଲୋକ ଦେଖିସାରିଥିବା ବେଳେ ୪୦ ହଜାର ଲାଇକ ମିଳିଛି। ମାତ୍ର ୫୧ ସେକେଣ୍ଡର ଏହି ଭିଡିଓକୁ ଏବେ ସୁଦ୍ଧା ୫ ହଜାର ଥର ରିଟ୍ୱିଟ କରାସରିଲାଣି।