କରୋନା ଭାଇରସ ଭଳି ମହାମାରୀ ବର୍ତ୍ତମାନ ବିଶ୍ୱରେ ଆତଙ୍କ ସୃଷ୍ଟି କରିସାରିଛି। ଏହି ରୋଗ କାରଣରୁ ସାରା ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷରୁ ଅଧିକ ରହିଛି। ସୂଚନା ମୁତାବକ ଲୋକମାନେ ଏହି ରୋଗ ବ୍ୟାପିବାର କାରଣ ବାଦୁଡ଼ି ବୋଲି କହିଛନ୍ତି କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିହାରରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଲୋକମାନେ ବାଦୁଡ଼ି ପୂଜା କରିଥାନ୍ତି। ଗାଁ ଲୋକଙ୍କ କହିବାନୁଯାୟୀ ବାଦୁଡ଼ି ତାଙ୍କୁ ମହାମାରୀ ଭଳି ଭୟଙ୍କର ରୋଗରୁ ରକ୍ଷା କରିଥାଏ।
ଏହି ଗାଁର ନାଁ ହେଉଛି ସରସଇ(ରାମପୁର ରତ୍ନାକର), ଯାହା ବୈଶାଳୀ ଜିଲ୍ଲାର ରାଜା ପାକଡ ପ୍ରଖଣ୍ଡରେ ଅବସ୍ଥିତ। ଏଠାକାର ଲୋକମାନେ ବାଦୁଡ଼ିକୁ ‘ଗ୍ରାମ ଦେବତା’ ରୂପେ ପୂଜା କରିଥାନ୍ତି। ଲୋକଙ୍କ କହିବାନୁଯାୟୀ ଯେଉଁ ଅଞ୍ଚଳରେ ବାଦୁଡ଼ି ବାସ କରିଥାଏ ସେଠାରେ ଧନର କୌଣସି ଅଭାବ ଦେଖାଯାଇନଥାଏ। ଏହାବ୍ୟତୀତ ବାଦୁଡ଼ି ମଧ୍ୟ ଗାଁ ର ରକ୍ଷା କରିବା ସହ ଲୋକମାନଙ୍କ ଉପରେ କୌଣସି ବିପତି ଆସିବାକୁ ଦେଇନଥାଏ। ଏପରିକି ମହାମାରୀ ଭଳି ଭୟଙ୍କର ରୋଗରୁ ମଧ୍ୟ ରକ୍ଷା କରିଥାଏ। ଏଥିସହ ଗାଁରେ କୋୖଣସି ଶୁଭ କାର୍ଯ୍ୟ ହେବା ପୂର୍ବରୁ ଗାଁ ଲୋକମାନେ ପ୍ରଥମେ ବାଦୁଡ଼ି ପୂଜା କରିଥାନ୍ତି।
ଏହି ଗାଁରେ ଶହ ଶହ ସଂଖ୍ୟାରେ ବାଦୁଡ଼ି ଏକ ପୋଖରୀ କୂଳରେ ଅଶ୍ୱତ୍ଥ ବୃକ୍ଷ ଏବଂ ଆଖପାଖ ଅନ୍ୟ ଗଛ ଉପରେ ବାସ କରିଥାନ୍ତି। ବାଦୁଡ଼ିମାନଙ୍କ କାରଣରୁ ଏହି ଗାଁ ପୁରା ଅଞ୍ଚଳରେ ପ୍ରସିଦ୍ଧ। ଲୋକମାନେ ମଧ୍ୟ ଅନେକ ଦୂରରୁ ଏହି ପକ୍ଷୀମାନଙ୍କୁ ଦେଖିବା ପାଇଁ ଆସିଥାନ୍ତି। ଗାଁ ଲୋକଙ୍କ କହିବାନୁଯାୟୀ ଗାଁକୁ ଯଦି କିଛି ଅଜଣା ଲୋକ ଆସିଥାନ୍ତି ତେବେ ଏହି ପକ୍ଷୀମାନେ ମିଶି ଆବାଜ ଦେଇଥାନ୍ତି। ଗାଁ ଲୋକେ ଆସିବାପରେ ହିଁ ଶାନ୍ତ ହୋଇଥାନ୍ତି।
ଏଠାକାର ଲୋକମାନେ କୁହନ୍ତି, ଗାଁରେ କେବେଠାରୁ ଏହି ବାଦୁଡ଼ି ପକ୍ଷୀ ରହିଆସୁଛନ୍ତି ସେ ବିଷୟରେ ସେମାନେ ମଧ୍ୟ ଜାଣିନାହାଁନ୍ତି କିନ୍ତୁ ଏକ କାହାଣୀ ଅନୁଯାୟୀ ମଧ୍ୟ୍ୟକାଳରେ ଥରେ ବୈଶାଳୀ ଜିଲ୍ଲାରେ ମହାମାରୀ ବ୍ୟାପିଥିଲା ସେହିସମୟରେ ବାଦୁଡ଼ିମାନେ କୁଆଡୁ ଉଡ଼ିଆସି ଏଠାରେ ରହିଛନ୍ତି। ଏହିକାରଣରୁ ଲୋକମାନେ କହିଥାନ୍ତି ବାଦୁଡ଼ି ପକ୍ଷୀଙ୍କ କାରଣରୁ ହିଁ ଏଠାରେ କେବେବି ମହାମାରୀ ଭଳି ଭୟଙ୍କର ରୋଗ ଦେଖାଯାଇନାହିଁ।