ବାରାବାଙ୍କି : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ବେନି ପ୍ରସାଦ ବର୍ମାଙ୍କ ପରଲୋକ। ଲକ୍ଷ୍ନୌରେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇପଡିଥିଲେ। ବେନି ପ୍ରସାଦ ବର୍ମା ସମାଜବାଦୀ ପାର୍ଟିର ଅନ୍ୟତମ ସଂସ୍ଥାପକ ତଥା ବରିଷ୍ଠ ନେତା ଥିଲେ। ବେନି ପ୍ରସାଦ ବର୍ମା ସମାଜବାଦୀ ପାର୍ଟିର ଜଣେ ରାଜ୍ୟସଭା ସାଂସଦ ଥିଲେ। ବେନି ପ୍ରସାଦ ବର୍ମାଙ୍କୁ ଉତ୍ତରପ୍ରଦେଶର କୁର୍ମୀ ସମ୍ପ୍ରଦାୟର ସବୁଠାରୁ ଲୋକପ୍ରିୟ ନେତା ଭାବରେ ବିବେଚନା କରାଯାଉଥିଲା। ବେନି ପ୍ରସାଦ ବର୍ମା ୟୁପିଏ ୨ ସରକାରରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବାରାବାଙ୍କି ଜିଲ୍ଲାରେ ଶୋକର ଲହରୀ ଖେଳିଯାଇଛି।
ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ନରେଶ ଉତ୍ତମ ପଟେଲ ବେନି ପ୍ରସାଦ ବର୍ମାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସମାଜବାଦୀ ଦଳର ବରିଷ୍ଠ ନେତା, ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବେନି ପ୍ରସାଦ ବର୍ମା ଏବଂ ଆମ ସମସ୍ତଙ୍କ ପାଇଁ ପ୍ରିୟ ‘ବାବୁ ଜୀ’ର ଦେହାନ୍ତ ହେବା ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ବେନି ପ୍ରସାଦ ବର୍ମା ୧୧ ଫେବୃଆରୀ ୧୯୪୧ ରେ ଉତ୍ତରପ୍ରଦେଶର ବାରାବାଙ୍କି ଜିଲ୍ଲାର ସିରାଉଲିରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ମୋହନଲାଲ ବର୍ମା ଏବଂ ମାତା ରାମକାଲୀ ବର୍ମା। ବେନି ୧୯୫୬ ରେ ମାଳତୀ ଦେବୀଙ୍କୁ ବିବାହ କରିଥିଲେ । ସେମାନଙ୍କର ୩ ପୁଅ ଏବଂ ୨ ଝିଅ ଅଛନ୍ତି । ବେନିଙ୍କ ପ୍ରାରମ୍ଭିକ ଅଧ୍ୟୟନ ବାରାବାଙ୍କିରୁ ହୋଇଥିଲା, ଏହା ପରେ ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ବିଏ ଏବଂ ଏଲଏଲବି ସମାପ୍ତ କରିଥିଲେ । ଅଧ୍ୟୟନ ପରେ ସେ ସିଧାସଳଖ ରାଜନୀତିରେ ପ୍ରବେଶ କରିଥିଲେ। ଦୀର୍ଘ ସମୟ ଧରି ସେ ଉତ୍ତରପ୍ରଦେଶ ରାଜ୍ୟରେ ପବ୍ଳିକ ଓ୍ବାର୍କ ବିଭାଗ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ପ୍ରଥମେ ୧୯୯୨ରେ ଉତ୍ତରପ୍ରଦେଶର କେସିଆରଗଞ୍ଜରୁ ଲୋକସଭା ନିର୍ବାଚନରେ ଜିତି କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ।