Odia News Portal

ଧୀରେ ଧୀରେ ରାଜ୍ୟରେ ବଢ଼ୁଛି ତାତି

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ତାତି ବଢ଼ିବ । ଶୁକ୍ରବାର୧୦ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍‌ ଉପରେ ଥିବା ବେଳେ ଆଜି କିଛି ସହରରେ ୪୦ଂ ଟପିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ରାଜ୍ୟର କାଁ ଭାଁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଆକଳନ କରିଛନ୍ତି ।

ଆଜିଠା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ବଢ଼ିବ । କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାଗୁଡିକୁ ଆରବ ସାଗରରୁ ପବନ ବୋହୁଥିବାରୁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିବ । ମେ’ ମାସରେ ୪୫ଂ ସେଲସିୟସ୍‌ ଟପିବ । ତେବେ ଆସନ୍ତା ୧୪ ଓ ୧୫ ତାରିଖ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ଶନିବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ତେବେ ଆସନ୍ତାକାଲି ରାଜ୍ୟର ଗୋଟିଏ ଦୁଇଟି ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୪୦ଂ ସେଲସିୟସ୍‌ ଟପିବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

ଶୁକ୍ରବାର ଅନୁଗୁଳ ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୩୯.୫ଂ ସେଲସିୟସ୍‌ ରହିଥିଲା । ସେହିପରି ବଲାଙ୍ଗୀର ଓ ବାରିପଦାରେ ୩୯ଂ ସେଲସିୟସ୍‌, ଭୁବନେଶ୍ୱର ଓ ସମ୍ବଲପୁରରେ ୩୮.୬ଂ ସେଲସିୟସ ରେକର୍ଡ କରାଯାଇଛି ।