ପୁରୀ : ମହାପ୍ରଭୁଙ୍କ ଚଳିତ ମାସ ୨୬ତାରିଖରେ ପ୍ରସିଦ୍ଧ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ୨୧ଦିନ ଧରି ମହାପ୍ରଭୁଙ୍କ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନଯାତ୍ରାରେ ମାନବ ଜଗତକୁ ଦେଖାଇବେ ତାଙ୍କ ଜଳ କ୍ରୀଡ଼ା। ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଅକ୍ଷୟ ତୃତୀୟାରୁ ଚନ୍ଦନଯାତ୍ରା ସହ ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଚନ୍ଦନ ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ଚାପ ଡ଼ଙ୍ଗା ନନ୍ଦରା, ଭଦ୍ରା ଓ ବାଜକ ମରାମତି କରା ଯାଉଥିବା ସହ ଡ଼ଙ୍ଗା କୁ ରଙ୍ଗରେ ସୁସଂଜିତ କରାଯାଉଛି। ଚଳିତ ବର୍ଷ ମହାମାରୀ କରୋନା ଭୂତାଣୁ ପାଇଁ ସାମାଜିକ ଦୂରତା ରଖି କାର୍ଯ୍ୟ କରିବାକୁ କୁହାଯାଇଛି । ୨୧ ଦିନ ଚନ୍ଦନଯାତ୍ରା ଦେଖିବାକୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ନରେନ୍ଦ୍ର ପୁଷ୍କରିଣୀର ଚାରିପଟେ ଘେରି ଦେଖନ୍ତି ମହାପ୍ରଭୁଙ୍କ ଜଳ କ୍ରୀଡ଼ା । କିନ୍ତୁ ମହାମାରୀ କରୋନା ଭୂତାଣୁ ପାଇଁ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଲକଡାଉନ ଘୋଷଣା ମେ ମାସ ୩ ତାରିଖ ପ୍ରଯନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏପ୍ରିଲ ୩୦ ତାରିଖ ପ୍ରଯନ୍ତ ଲକଡାଉନ ଘୋଷଣା କରିଥିଲେ । ଏତେ ବହୁ ସଂଖ୍ୟକ ଭକ୍ତଙ୍କୁ ରୋକିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ କିଭଳି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଛି।