Odia News Portal

ଲକ୍‌ଡାଉନ୍‌ ସରିଗଲା ଭାବି ରୁଣ୍ଡ ହେଲେ ଲୋକ

କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ୨ଥର ପାଇଁ ଲକ୍‌ଡାଉନ୍‌ ସମୟସୀମା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏହି ଲକ୍‌ଡାଉନ୍‌ ଆଗାମୀ ମଇ ମାସ ୩ ତାରିଖ ଯାଏ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ସଭିଏଁ ଏହାଦ୍ୱାରା ଅସୁବିଧା ଭୋଗ କରୁଥିଲେ ମଧ୍ୟ କରୋନାକୁ ହରାଇବା ପାଇଁ ହେଲେ ଘରେ ରହିବା ନିହାତି ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ହେଲେ ଆଜି ଲକ୍‌ଡାଉନ୍‌ ଘୋଷଣା ପରେ ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ମୁମ୍ବାଇରେ ଅଟକ ରହିଥିବା ହଜାର ହଜାର ସଂଖ୍ୟାରେ ଲୋକେ ଘରକୁ ଯିବା ପାଇଁ ବାନ୍ଦ୍ରରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ନିଜ ନିଜର ଅଞ୍ଚଳକୁ ପଠାଇବା ପାଇଁ ମୁମ୍ବାଇ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଏଠାରେ ରୁଣ୍ଡ ହୋଇଥିବା ଲୋକେ ଦାବି କରିଛନ୍ତି ।

‘ଆମେ ଭାବିଥିଲୁ ଆଜି ଲକ୍‌ଡାଉନ୍‌ ସରିଲା । ଆମେ କୈାଣସି ପ୍ରକାରରେ ମଇ ୩ ଯାଏ ହୋଇଥିବା ଲକ୍‌ଡାଉନ୍‌ ପର୍ଯ୍ୟନ୍ତ ଏଠାରେ ରହିପାରିବୁ ନାହୁଁ । ଆମ ପାଖରେ ରହିବା ଓ ଖାଇବା ପାଇଁ ଅର୍ଥ ନାହିଁ । ତେଣୁ ଆମକୁ ଆମ ଅଞ୍ଚଳକୁ ପଠାଯାଉ’ ।

ହଜାର ସଂଖ୍ୟାରେ ଲୋକେ ବାନ୍ଦ୍ର ଠାରେ ରୁଣ୍ଡ ହୋଇ ଏହା ଦାବି କରିଛନ୍ତି । ଏ ଘଟଣା ସରକାରଙ୍କ ମୁଣ୍ଡ ବ୍ୟଥା ଆରମ୍ଭ କରିଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।