Odia News Portal

ବିପୁଳ ପରିମାଣରେ ମଦ ଜବତ ସହ ୪ ଗିରଫ

ସାଲେପୁର : ଶିଶୁଆଠାରେ ଚଢାଉ କରି ବିପୁଳ ପରିମାଣରେ ମଦ ଜବତ କରିବା ସହ ୪ ଜଣ ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ।  ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ ଠାରେ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ  ଚାରି ଜଣ  ଚୋରା ମଦ ବେପାରୀ ଗିରଫ ହେବା ସହ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି । ଗିରଫ ବ୍ୟକ୍ତିମାନେ ହେଲେ ନିଶ୍ଚିନ୍ତକୋଇଲି ଥାନା କେଣ୍ଟାଳ ଗାଁର ସତ୍ୟନାରାୟଣ ସିଂ, ସାଲେପୁର ଥାନା ରାଘପୁର ଗାଁର ସୁକାନ୍ତ ନାଥ, ଶିଶୁଆର ଶ୍ରୀବନ୍ତ କର ଏବଂ କେନ୍ଦ୍ରାପଡା ଥାନା ବାରିମୂଳ ଗାଁର ଶିଶିର ଦାସ। ଏମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ସମୟରେ ସରକାର ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ଏଭଳି ଚୋରା ମଦ ବେପାରୀ ମାନେ ଗ୍ରାମାଞ୍ଚଳରେ ସକ୍ରିୟ ଥିବା ଜଣା ପଡିଛି । କଟକ ଅବକାରୀ ବିଭାଗ ପକ୍ଷରୁ ସାଲେପୁର ବିଭିନ୍ନ ଗାଁରେ ଚଢ଼ାଉ କରି ଚୋରା ଦେଶୀ ଓ  ବିଦେଶୀ ମଦ ଜବତ କରୁଥିବାବେଳ ସାଲେପୁର ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦରେ ଶୋଇଛି । ସାଲେପୁର ପୋଲିସ ଓ ଅବକାରୀ ବିଭାଗ ଟିକେ ସକ୍ରିୟ ହୋଇ ଚଢ଼ାଉ କଲେ ଚୋରା ମଦ ଉପରେ ଅଙ୍କୁଶ ଲାଗିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।