ଭୁବନେଶ୍ୱର : କୁଇକ୍ ଆକ୍ସନ ଟିମ୍ (କ୍ୟୁଏଟି) ପୁଣି ଚୋରା ମଦ କାରବାର ଉପରେ ଚଢ଼ଉ କରିଛି । ଏଥର ଜଣେ ଢାବା ମାଲିକଙ୍କୁ ଧରିଛି । ଏଠି ବି ସମାନ ଢ଼ଙ୍ଗରେ ଦାମୀ କାର୍ରେ ମଦ ବେପାର ଚାଲିଥିଲା । ଟିମ୍ ସମ୍ପୃକ୍ତ ଢାବା ମାଲିକଙ୍କୁ ଗିରଫ କରିଛି । ତାଙ୍କ ନାମ ହେଲା ପ୍ରକାଶ କୁମାର ପରିଡ଼ା(୩୫) । ସେ ନୟାଗଡ଼ ରଣପୁର ଅଞ୍ଚଳର । ଖୋର୍ଦ୍ଧାସ୍ଥିତ ଜାତୀୟ ରାଜପଥ କଡ଼ରେ ‘ରୟାଲ ଢାବା’ ନାମରେ ପ୍ରକାଶଙ୍କ ଏକ ହୋଟେଲ ରହିଛି । ପୁଲିସ ତାଙ୍କ ଠାରୁ ୨୦୨ ବୋତଲ ବିଦେଶୀ ମଦ ଜବତ କରିଛି ।
ପୁଲିସ କହିଛି, କ୍ୟୁଏଟି ଟିମ୍ ମୁଖିଆ ଶୁଭେନ୍ଦୁ କୁମାର ସାହୁ ଗତକାଲି ବରମୁଣ୍ଡା ଅଞ୍ଚଳରୁ ପ୍ରଦୀପ କୁମାର ସ୍ୱାଇଁ ଓରଫ୍ ଗିଟୁକୁ କାବୁ କରିଥିଲେ । ତାଙ୍କ ଠାରୁ ୯୬ ବୋତଲ ବ୍ରାଣ୍ଡେଡ୍ ବିଦେଶୀ ମଦ ଜବତ କରିଥିଲେ । ପରେ ପ୍ରକାଶ ମଦ ବିକୁଥିବା ନେଇ ସୁରାକ ମିଳିଥିଲା । ପ୍ରକାଶକୁ ଧରିବାକୁ ସଙ୍ଗେ ସଙ୍ଗେ ସେ ପ୍ଲାନିଂ କରିଥିଲେ । ଗ୍ରାହକ ସାଜି ବିପୁଳ ମାତ୍ରାରେ ମଦ କିଣିବା ବାହାନାରେ ତାଙ୍କୁ ଯୋଗାଯୋଗ କରିଥିଲେ ଶୁଭେନ୍ଦୁ । ରାଜଧାନୀ ଉପକଣ୍ଠ ଗୋହିରିଆ ଛକରେ ଆଜି ଭୋର ବେଳା ମଦ କିଣାବିକା ହେବ ବୋଲି ଡିଲ୍ ହୋଇଥିଲା । ତମାଣ୍ଡୋ ଥାନା ପୁଲିସକୁ ସାଙ୍ଗରେ ଧରି ଶୁଭେନ୍ଦୁ ସକାଳ ବେଳା ଠିକଣା ଜାଗାରେ ପହଞ୍ଚି ଯାଇଥିଲେ । ପ୍ରକାଶ ଏକ ଦାମୀ କାର୍(ଓଡି୦୨ଏକ୍ୟୁ ୦୯୯୩) ଯୋଗେ ସେଠାରେ ପହଞ୍ଚିବା କ୍ଷଣି ପୁଲିସ ଟିମ୍ ତାଙ୍କୁ କାବୁ କରିଥିଲା । ଉକ୍ତ କାର୍ରୁ ପାଖାପାଖି ୩୬ ଲିଟର ବିଦେଶୀ ମଦ ଜବତ କରିଥିଲା । ତାଙ୍କ ଠାରୁ ୫ ହଜାର ୪୨୦ ଟଙ୍କା ମିଳିଥିଲା ।
ଢାବାରେ ଜମୁଥିଲା ବେପାର
ଲକ୍ଡାଉନ୍ ବେଳେ ପ୍ରକାଶଙ୍କ ରୟାଲ ଢାବାରେ ଢେର ମଦ ବେପାର ଚାଲୁଥିଲା । ପ୍ରତିଦିନ ଢାବା ସାମ୍ନାରେ ୮-୧୦ ଗାଡି଼ ଲାଗୁଥିଲା । ଢାବା କର୍ମଚାରୀ ସେଠାରେ ବଜାର ମୂଲ୍ୟଠାରୁ ୩ ଗୁଣା ଅଧିକ ଦରରେ ମଦ ବିକୁଥିଲେ । ଏମିତିକି ରାଜଧାନୀର ଅଭ୍ୟାସଗତ ମଦ୍ୟପ ବ୍ୟକ୍ତିଙ୍କ ଭିଡ଼ ସେଠି ଜମୁଥିଲା । ଗ୍ରାହକ ମଦ କିଣିବାକୁ ଲୁଚିଛପି ରାତି ବେଳା ଉକ୍ତ ଢାବାରେ ପହଞ୍ଚୁଥିଲେ । ଜେରା ପରେ ପୁଲିସ ଏକଥା ମଧ୍ୟ ଜାଣିବାକୁ ପାଇଛି, ସେ ରାଜଧାନୀ ଉପକଣ୍ଠ ଗୋହିରିଆ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ନିକଟ ଏକ ଭଡ଼ା ଘରେ ମଦ ଗଚ୍ଛିତ ରଖିଥିଲେ । ସବୁଦିନ ସନ୍ଧ୍ୟା ବେଳା ମାତ୍ର ଘଣ୍ଟାଏ ପାଇଁ ଉକ୍ତ ଘରଟି ଖୋଲୁଥିଲା । ଜଣାଶୁଣା ଓ ଚିହ୍ନା ପରିଚିତ ବ୍ୟକ୍ତିଙ୍କୁ ପ୍ରକାଶଙ୍କ ଦଲାଲ୍ମାନେ ଚଢ଼ା ଦରରେ ମଦ ବିକୁଥିଲେ ।
ଜଙ୍କିଆରୁ ଭାୟା ଖୋର୍ଦ୍ଧା ଦେଇ ରାଜଧାନୀ
ପ୍ରକାଶଙ୍କ ଢାବା ହେଉଛି ଖୋର୍ଦ୍ଧାସ୍ଥିତ ଏନ୍ଏଚ୍ କଡ଼ରେ । ସେଇଟା ତାଙ୍କର ଡିପୋ ଥିଲା । ଲକ୍ଡାଉନ୍ ପୂର୍ବରୁ ବି ଉକ୍ତ ଢାବାରେ ପ୍ରଚୁର ମଦ ବେପାର ହୁଏ । ଲକ୍ଡାଉନ୍ ପୂର୍ବରୁ ପ୍ରକାଶ ଉକ୍ତ ଢାବାରେ ବିପୁଳ ମାତ୍ରାରେ ମଦ ଗଚ୍ଛିତ ରଖିଥିଲେ । ଏସବୁ ମଦ ଜଙ୍କିଆ ଠାରୁ ଏକ ମଦ କାଉଣ୍ଟରରୁ ବଜାର ମୂଲ୍ୟରେ କିଣି ରଖିଥିଲେ । ରାତି ବେଳା ଚେକିଂ ହେଉ ନଥିବାରୁ ତାଙ୍କ ଦାମୀ କାର୍ରେ ମଦ ଆସି ଗୋହିରିଆସ୍ଥିତ ଭଡ଼ା ଘରେ ପହଞ୍ଚୁଥିଲା । ସେଠାରେ ନିର୍ଧୁମ ବେପାର ହେଉଥିଲା ।