Odia News Portal

କରୋନା ଆଢୁଆଳରେ ବେକ ସଳଖୁଛି ରାଜ୍ୟ କଂଗ୍ରେସ

ଭୁବନେଶ୍ୱର : କରୋନା ପଞ୍ଝାରେ ଏବେ ଓଡିଶା ଠାରୁ ଆରମ୍ଭ କରି ସମଗ୍ର ଦେଶ କବଳିତ ଥିବାବେଳେ ଏହାର ଆଢୁଆଳରେ କିନ୍ତୁ ରାଜ୍ୟ କଂଗ୍ରେସ ବେକ ସଳଖିବାରେ ଲାଗିଛି । କରୋନା ପାଇଁ ହେଉ କିମ୍ବା ଅନ୍ୟ କେଉଁଥିପାଇଁ ହେଉ ପ୍ରଦେଶ କଂଗ୍ରେସ ଚଳ ଚଞ୍ଚଳ ହୋଇ ଉଠିଛି । ସରକାରୀ ଢାଞ୍ଚାରେ ପ୍ରତିଦିନ ପ୍ରେସ ରିଲିଜ ଜାରି ସହିତ ଭିଡିଓ ଜାରି ହେଉଛି । ଖୋଦ ପିସିସି ସଭାପତି ଘରୁ ବାହାରି ପୁଲିସ୍‍ କମିଶନରଙ୍କ ଦପ୍ତରରେ ଏଫ୍‍ଆଇଆର ଦେଉଛନ୍ତି । ଏହା ଦେଖିଲା ପରେ କଂଗ୍ରେସ ଯେ କରୋନା ଆଢୁଆଳରେ ଘର ସଜଡା ଆରମ୍ଭ ତାହା ଅନେକ ମତ ଦେବାକୁ ପଛାଉ ନାହାନ୍ତି ।

ବିଧାନସଭା ନିର୍ବାଚନ ପରଠାରୁ ପ୍ରଦେଶ କଂଗ୍ରେସ ଏକ ପ୍ରକାର ସୁପ୍ତ ଅବସ୍ଥାରେ ରହିଛି । ଯେତେବେଳେ ଜାଗ୍ରତ ହେଉଛି କେବଳ ଅନ୍ତଃକନ୍ଦଳ ପାଇଁ । କିଏ ନୂଆ ସଭାପତି ହେବ ତାହାକୁ ନେଇ ଦଳର ଦୁଇ ତିନି ଗୋଷ୍ଠି ଦିଲ୍ଲୀ ଦଉଡା ଦଉଡି କରିବାପରେ ଏକ ପ୍ରକାର ଅର୍ନ୍ତଧ୍ୟାନ ହୋଇଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଓଡିଶାରେ ହାରିଥିବାବେଳେ ଓଡିଶା ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ନିଜ ରାଜ୍ୟ ରାଜସ୍ଥାନରେ ହାରିଗଲେ । ତେଣୁ ଏଭଳି ସ୍ଥିତିରେ ରାଜ୍ୟ କଂଗ୍ରେସକୁ ଦିଗ୍‍ଦର୍ଶନ ଦେବା ଅତ୍ୟନ୍ତ କଷ୍ଟକର ବ୍ୟାପର ଥିଲା । ତେବେ ଏହି ମଉକାରେ କିଛି ଟୋକା କଂଗ୍ରେସିଆ କଂଗ୍ରେସଭବନକୁ ଏକ ପକାର ଦଖଲ କରିନେଇଥିଲେ । ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ଯାହାକୁ ଯେମିତି ସୁହାଉଥିଲା ସିଏ ସେହି ପ୍ରସଙ୍ଗକୁ ଧରି ବିବୃତ୍ତି ଦେଉଥିଲା । ଏହାକୁ ନେଇ ବି ବରିଷ୍ଠ ଓ କନିଷ୍ଠଙ୍କ ଭିତରେ ଏକ ପ୍ରକାର ଟଣାଓଟରା ଚାଲିଥିଲା । ଅବସ୍ଥା ଏଭଳି ହୋଇଥିଲା ଯେ କଂଗ୍ରେସର ବରିଷ୍ଠ ମୁଖପାତ୍ରମାନେ କଂଗ୍ରେସ ଭବନ ପରିସରକୁ ପାଦ ପକାଇଲେ ନାହିଁ ।

ତେବେ କରୋନା ସ୍ଥିତିରେ କିଛିଟା ପରିବର୍ତ୍ତନ ଆଣିଛି । କଂଗ୍ରେସ ଭବନ ଏବେ ଚଳ ଚଞ୍ଚଳ । ରିଲିଫ ବଣ୍ଟନ ସାଙ୍ଗକୁ ପ୍ରତିଦିନ ସରକାରଙ୍କୁ ପ୍ରଶଂସା ସହିତ ପରାମର୍ଶ ଜଡିତ ପ୍ରେସ ରିଲିଜ ଜାରି ହେଉଛି । ଖବର କିଭଳି ଗଣମାଧ୍ୟମରେ ପହଞ୍ଚିତ ତାହାର ପୂରା ବନ୍ଦୋବସ୍ତ ହେଉଛି । ଖୋଦ୍‍ ପିସିସି ସଭାପତି ଭିଡିଓ ବାର୍ତ୍ତା ଜାରି କରୁଛନ୍ତି । ସଦା ପ୍ରସ୍ତୁତ ସୁର ରାଉତରାୟଙ୍କ ଭଳି ବିଧାୟକ ବି ଆଉ ଟିକେ ସକ୍ରିୟ ହୋଇ ପଡିଛନ୍ତି । ସମାଜସେବୀରୁ କଂଗ୍ରେସକୁ ଆସିଥିବା ସୁଦର୍ଶନ ଦାସ ଅତ୍ୟନ୍ତ ମାର୍ଜିତ ଢଙ୍ଗରେ ପ୍ରେସ ରିଲିଜ ଜାରି କରୁଛନ୍ତି ।

ଏହା ଦେଖିଲାପରେ ରାଜନୈତି ମହଲରେ ଗୋଟିଏ କଥା ଉଙ୍କି ମାରୁଛି ଯେ କରୋନା ଆଢୁଆଳରେ କଂଗ୍ରେସ ତାହାର ବେକ ସଳଖିବାରେ ଲାଗିଛି । ଚିକିତ୍ସିକଙ୍କ ଭବିଷ୍ୟବାଣୀ ଅନୁଯାୟୀ ଅଗଷ୍ଟ ଶେଷ ବେଳକୁ କରୋନାର କହର କମିଯାଇଥିବ । ଆଉ କଂଗ୍ରେସ ଯଦି ଏଭଳି କସରତ ଜାରି ରଖେ ତେବେ ସେତେବେଳକୁ ରାଜ୍ୟରେ ତାହାର ପାଦକୁ ଆଉଟିକେ ମଝବୁତ କରିଦେଇଥିବ । କରୋନା ପାଇଁ ଦଳର ବରିଷ୍ଠ କନିଷ୍ଠ ଯେଭଳି ସବୁ ଭେଦଭାବ ଭୁଲି ଏକାଠି ହୋଇଛନ୍ତି ତାହା ଦଳକୁ ନୂଆ ରାହା ଯୋଗାଇଛି । ତେବେ ଏଥିରେ ଗୋଟିଏ ଅଭାବ ଦେଖିବାକୁ ମିଳୁଛି ଯେ ସଭାପତିଙ୍କ ବିରୋଧି ଗୋଷ୍ଠିର କେତେକ ଏବେ ବି ଚୁପ୍‍ ହୋଇ ରହିଛନ୍ତି ।