କୋଲକାତା : ଏହି କରୋନା ପରିସ୍ଥିତିରେ ସବୁ ରାଜ୍ୟ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ମାନି କାମ କରୁଥିବା ବେଳେ ସମସ୍ତଙ୍କ ଠାରୁ ଅଲଗା ରହିଛି ପଶ୍ଚିମବଙ୍ଗ । ଏମିତିକି କେନ୍ଦ୍ରର ନିୟମ କାନୁନକୁ ମାନିବାକୁ ମଧ୍ୟ ପ୍ରସ୍ତୁତ ନୁହେଁ । ଏହାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଏସବୁ ଘଟଣା ପାଇଁ ଚର୍ଚ୍ଚାରେ ରହିଛନ୍ତି । ଆଜି ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ ବଡ଼ କାଣ୍ଡ କରି ବସିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି । ସବୁ ପଜେଟିଭ୍ଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବା ସରକାରଙ୍କ ପକ୍ଷରେ ସମ୍ଭବ ନୁହେଁ ।
ତେଣୁ ଯିଏ ପଜେଟିଭ୍ ବାହାରୁଛନ୍ତି ନିଜ ଘରେ କ୍ୱାରେଣ୍ଟାଇନ୍ରେ ରୁହନ୍ତୁ । ତାଙ୍କ ସରକାର ଏହି ନିଷ୍ପତ୍ତି ନେଇଛି ବୋଲି ମମତା ଆଜି କହିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ରର ସବୁ କଥା ଆମେ ମାନିବାକୁ ପ୍ରସ୍ତୁତ ହେଲେ ରାଜ୍ୟଗୁଡ଼ିକ ମଧ୍ୟ କିଭଳି ପରିସ୍ଥିତିରେ ଅଛନ୍ତି ସେ ସମ୍ପର୍କରେ କେନ୍ଦ୍ର ସରକାର ବି ଭଲ ଭାବେ ବୁଝିବା ଦରକାର । ରାଜ୍ୟ ବାହାରେ ଥିବା ପଶ୍ଚିମବଙ୍ଗର ଶ୍ରମିକମାନଙ୍କୁ ତାଙ୍କ ସରକାର ଫେରାଇ ଆଣିବ ଏବଂ ଦୋକାନ ବଜାର ବନ୍ଦ ଥିବାରୁ ଲୋକଙ୍କ ଘରେ ଅଣଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମମତା ବାନାର୍ଜୀ କହିଛନ୍ତି ।