Odia News Portal

୩ ବର୍ଷ ପାଇଁ ବାସନ୍ଦ ହେଲେ ଉମର ଆକମଲ

ଇସଲାମାବାଦ: ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଉମର ଆକମଲଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ(PCB) ୩ ବର୍ଷ ପାଇଁ ବାସନ୍ଦ କରିଛି । ଆକମଲ ବୁକିଙ୍କୁ ଭେଟିଥିବା ଅଭିଯୋଗ ହୋଇଥିଲା । ପାକିସ୍ତାନ କ୍ରିକେଟ୍ ବୋର୍ଡର ଅନୁଶାସନ ପ୍ୟାନେଲରେ ଶୁଣାଣି ପରେ ଉମାର ଆକମଲଙ୍କୁ ଏହି ଦଣ୍ଡ ମିଳିଛି । ପାକିସ୍ତାନ ବୋର୍ଡର ଦୁର୍ନୀତି ନିବାରଣ ୟୁନିଟ୍ ଉମାରଙ୍କୁ ଆଚରଣ ସଂହିତା ଧାରା 2.4.4 ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି । ତଦନ୍ତ ପରେ ପାକିସ୍ତାନ ବୋର୍ଡର ଅନୁଶାସନ କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ଜଷ୍ଟିସ ଫଜାର ଏ ମିରାନ ଚୌହାନ ଏହି ରାୟ ଦେଇଛନ୍ତି ।

୩ ବର୍ଷ ଧରି ଉମର ଆକମଲ ପାକିସ୍ତାନ ପାଇଁ କୌଣସି ଟୁର୍ନାମେଣ୍ଟ ଖେଳି ପାରିବେ ନାହିଁ । ଏହାପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦ୍ୱାରା ତାଙ୍କୁ ପାକିସ୍ତାନ ସୁପର ଲିଗ୍ (PSL)ରେ ଖେଳିବାକୁ ଅନୁମତି ଦିଆଯାଇନଥିଲା । ଆକମଲ ନିଜ ଟେଷ୍ଟ କ୍ୟାରିୟରେ ୧୬ଟି ମ୍ୟାଚ୍ ଖେଳି ୧୦୦୩ ରନ କରିଛନ୍ତି । ଟେଷ୍ଟରେ ତାଙ୍କ ନାଁରେ ଗୋଟିଏ ଶତକ ଓ 6 ଅର୍ଦ୍ଧଶତକ ରହିଛି । ଏଥି ସହିତ ସେ ୧୨୧ଟି ଏକଦିବସୀୟ ମ୍ୟାଚରେ ୩୧୯୪ ରନ୍ କରିଛନ୍ତି । ସେ ୱନଡେରେ ୨ ଶତକ ଏବଂ ୨୦ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଉମର ଆକମଲ ୨୦୧୧ରେ ଜିମ୍ବାୱେ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିବାବେଳେ ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ୨୦୧୯ରେ ଲାହୋରରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଥିଲେ ।