Odia News Portal

ଏହି ପୁରସ୍କାର ପାଇଁ ବୁମ୍‌ରାଙ୍କ ନାମ ସୁପାରିସ୍‌ କରିବ ବିସିସିଆଇ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ସଂଘ (ବିସିସିଆଇ) ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଖେଳାଳି ମନୋନୟନ ପ୍ରକିୟା ଆରମ୍ଭ କରିଛି । ଷ୍ଟାର୍‌ ପେସ୍‌ ବୋଲର ଜଶ୍‌ପ୍ରୀତ ବୁମ୍‌ରା ‘ଅର୍ଜୁନ’ ପୁରସ୍କାର ଦୌଡ଼ରେ ଆଗୁଆ ଥିବା ଜଣାପଡ଼ିଛି । ଗତବର୍ଷ ଏହି ପୁରସ୍କାର ପାଇଁ ବୁମ୍‌ରାଙ୍କ ନାମ ସୁପାରିସ କରାଯାଇଥିଲା । କିନ୍ତୁ ସ୍ପିନର ରବିନ୍ଦ୍ର ଜାଡ଼େଜା ଏହି ପୁରସ୍କାର ପାଇଥିଲେ । ବୁମ୍‌ରା ବ୍ୟତୀତ ଓପନର ଶିଖର ଧାୱନ ମଧ୍ୟ ‘ଅର୍ଜୁନ’ ପୁରସ୍କାର ଦୌଡ଼ରେ ରହିଥିବା ଜଣାପଡ଼ିଛି । ଚଳିତ ମାସ ଶେଷ ସୁଦ୍ଧା ବିସିସିଆଇ କ୍ରୀଡ଼ା ମନ୍ତ୍ରଣାଳୟକୁ ଖେଳାଳି ତାଲିକା ପଠାଇବ ।

ବିସିସିଆଇ ସୁତ୍ରରୁ ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ ବୁମ୍‌ରା ‘ଅର୍ଜୁନ୍‌’ ପୁରସ୍କାର ପାଇଁ ଆଗରେ ରହିଛନ୍ତି । ଗତବର୍ଷ ଏହି ପୁରସ୍କାର ପାଇଁ ବୁମ୍‌ରା, ଜାଡ଼େଜା ଓ ମହମ୍ମଦ ସାମିଙ୍କ ନାମ ସୁପାରିସ୍‌ କରାଯାଇଥିଲା । ସେତେବେଳେ ବୁମ୍‌ରା ମାତ୍ର ୨ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବାରୁ ପୁରସ୍କାର ପାଇଁ ମନୋନୀତ ହୋଇ ପାରିନଥିଲେ । ନିୟମ ଅନୁଯାୟୀ ପୁରସ୍କାର ପାଇଁ ଜଣେ ଖେଳାଳି ୩ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ଆବଶ୍ୟକ । ତେବେ ବୁମ୍‌ରା ତିନିବର୍ଷ ପୂରଣ କରିସାରିଛନ୍ତି । ସେ ଦିନିକିଆ ମାନ୍ୟତାରେ ଏକନମ୍ବର ବୋଲର ରହିଥିବାବେଳେ ଏକମାତ୍ର ଏସୀୟ ବୋଲର ଭାବେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୫ ୱିକେଟ୍‌ ସଫଳତା ପାଇଛନ୍ତି । ତେଣୁ ସେ ‘ଅର୍ଜୁନ’ ପୁରସ୍କାର ପାଇଁ ଦାବିଦାର ରହିଛନ୍ତି ।’ ୨୬ ବର୍ଷିୟ ବୁମ୍‌ରା ୧୪ଟି ଟେଷ୍ଟରୁ ୬୮ଟି ୱିକେଟ୍‌ ନେଇଥିବାବେଳେ ୬୪ଟି ଦିନିକିଆରୁ ୧୦୪ଟି ଏବଂ ୫୦ ଟି-ଟ୍ୱେଣ୍ଟିରୁ ୫୯ଟି ୱିକେଟ୍‌ ନେଇ ସାରିଛନ୍ତି ।

ସେହିପରି ଧାୱନ ଜଣେ ସିନିୟର ଖେଳାଳି । ତେଣୁ ପୁରସ୍କାର ପାଇଁ ତାଙ୍କ ନାମ ପଠାଯିବ । ୨୦୧୮ରେ ଧାୱନଙ୍କ ନାମ ସୁପାରିଶ କରାଯାଇଥିଲା । କିନ୍ତୁ ସ୍ମୃତି ମନ୍ଦନା (ମହିଳା) ଏହି ପୁରସ୍କାର ପାଇଥିଲେ । ଚଳିତ ବର୍ଷ ସାମି ପୁରସ୍କାର ତାଲିକାରୁ ବାଦ୍‌ ପଡ଼ିବେ । କାରଣ ଘରୋଇ ହିଂସା ଘଟଣାରେ ତାଙ୍କ ନାମରେ ମାମଲା ରହିଛି । ଅନ୍ୟପକ୍ଷରେ ମହିଳା କ୍ରିକେଟ୍‌ ପାଇଁ ବିସିସିଆଇ ଅଲରାଉଣ୍ଡର ଦୀପ୍ତି ଶର୍ମା ଓ ଶିଖା ପାଣ୍ଡେଙ୍କ ନାମ ସୁପାରିସ କରିବା ସମ୍ଭାବନା ରହିଛି । ଉଭୟ ନିୟମିତ ଭଲ ପ୍ରଦର୍ଶନ କରୁଛନ୍ତି ।