ବାରଣାସୀ : ଅନେକ ସ୍ୱପ୍ନ ନେଇ ସେ ରାଜସ୍ଥାନ ଯାଇଥିଲେ। ସେଠାରେ କାମ କରି କିଛି ଅର୍ଥ ରୋଜଗାର କରି ବାପା ମାଆ ଓ ସ୍ତ୍ରୀକୁ ଖାଇବାକୁ ଦେବେ। ଆଉ ରହିବାକୁ ଗାଁରେ ଥିବା ଭଙ୍ଗା କୁଡ଼ିଆକୁ ପକ୍କା କରିବେ। କିନ୍ତୁ ସେହି ସ୍ୱପ୍ନ ରହିଗଲା ଅଧାରେ। ବିବାହ ବାର୍ଷିକୀରେ ଚାଲିଗଲା ଯୁବକଙ୍କ ଜୀବନ। ଏ ହେଉଛି ୨୫ ବର୍ଷିୟ ମୁକେଶ ବିଶ୍ୱକର୍ମାଙ୍କର କଥା ।
ପୂର୍ବ ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲାର ଔରେୟା ଅଞ୍ଚଳର ଉଗାପୁର ଗାଁର ଶ୍ରୀଧର ବିଶ୍ୱକର୍ମାଙ୍କ ପୁଅ ମୁକେଶ ବିଶ୍ୱକର୍ମା । ବାପା-ମା ଓ ସ୍ତ୍ରୀକୁ ଖୁସିରେ ରଖିବା ପାଇଁ ଘର ପ୍ରବାସକୁ ଯାଇଥିଲେ ସେ । ଜୟପୁରରେ ଫର୍ଣ୍ଣିକର କାମ କରୁଥିଲେ । କିନ୍ତୁ କରୋନା ଭାଇରସ୍ ଲକ୍ ଡାଉନ୍ ଫଳରେ ସବୁ କିଛି ସମସ୍ୟା ମାଡ଼ି ଆସିଥିଲା । ପାଖରେ ଥିବା ପଇସା ସରିଯାଇଥିଲା । ତଙ୍ଗହାଲୀରେ ଥିବା ଅନ୍ୟ ମାନଙ୍କ ପରି ସେ ମଧ୍ୟ ଘରକୁ ଫେରୁଥିଲେ ।
ଶନିବାର ଦ୍ୱିପହରେ ଉଗାପୁର ଗାଁରେ ଥିବା ମୁକେଶଙେକ କୁଡ଼ିଆ ଘର ସାମନାରେ ଲୋକଙ୍କ ଭିଡ଼ ଜମିଥିଲା । ସେଠାରୁ ଶୁକ୍ରବାର ଦିନ ମୁକେଶ ଯେତେବେଳେ ବାହାରିଲେ ମାଆ ଓ ସ୍ତ୍ରୀଙ୍କୁ ଫୋନ୍ କରି କହିଥିଲେ ଟ୍ରକ୍ ମିଳିଯାଇଛି । ଶନିବାର ସନ୍ଧ୍ୟାରେ ପହଞ୍ଚିଯିବି । କିନ୍ତୁ ତାଙ୍କ ଜୀବନରେ ସନ୍ଧ୍ୟା ଆଉ ଆସିନଥିଲା।
ମୁକେଶଙ୍କର ଫୋନ୍ ପାଇଲା ପରେ ଘରେ ସମସ୍ତେ ଖୁସି ହୋଇଯାଇଥିଲେ । ତାଙ୍କର ଫେରିବା ବାଟକୁ ଚାହିଁ ରହିଥିଲେ ।
ଶନିବାର ସେଦିନ ଅଶୁଭ ପାଲଟି ଯାଇଥିଲା ମୁକେଶଙ୍କ ପରିବାର ପାଇଁ । ସକାଳେ ଫୋନ୍ ଆସିଲା ମୁକେଶର ମୃତ୍ୟୁ ଖବର ନେଇ । ତାପରେ ସେହି ଭଙ୍ଗା କୁଡ଼ିଆରେ ଶୁଭିଲା କାନ୍ଦବୋବାଳି । ବିବାହ ବାର୍ଷିକୀରେ ଦୁଃଖର ଉପହାର ନେଇ ସମୟ ଆସିଲା ମୁକେଶର ପରିବାରକୁ । ଅଧାରେ ରହିଗଲା ପତ୍ନୀଙ୍କର ସୁଖ । ମାଆର ହୃଦୟରେ ଆବୋରି ବସିଲା ଯନ୍ତ୍ରଣାର ପାହାଡ଼ ।
ସୂଚନା ଯେ, ଔରେୟା ଜିଲ୍ଲାରେ ଶନିବାର ସକାଳେ ସଡ଼କ ଦୁର୍ଘଟଣାରେ ଯେଉଁ ୨୪ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା , ସେଥିରେ ଥିଲେ ମୁକେଶ ଜଣେ । ମୁକେଶଙ୍କର ମୃତ୍ୟୁର ଖବର ତାଙ୍କ ପରିବାର ଲୋକ ସେତେବେଳେ ପାଇଥିଲେ , ଯେବେ ଏହି ଦୁର୍ଘଟଣାରେ ଭଦୋହୀ ଜିଲ୍ଲାର ଆହତ ହୋଇଥିବା ଅନ୍ୟ ଜଣେ ଶ୍ରମିକ ତାଙ୍କର ଠିକଣା ଓ ଫୋନ୍ ନମ୍ୱର ଦେଇଥିଲେ ।
ଜୟପୁରରେ ଫର୍ଣ୍ଣିଚର କାମ କରୁଥିବା ମୁକେଶଙ୍କ ଭଙ୍ଗା କୁଡ଼ିଆରେ ଭଙ୍ଗା ଚୌକିଟିଏ ବି ନାହିଁ , କିନ୍ତୁ ଲୋକଙ୍କ ଘର ପାଇଁ ଆରାମ ଚେୟାର ତିଆରି କରିବାରେ ତନମନ ଲଗେଇ ଦେଇଥିଲେ। ମୁକେଶଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀଙ୍କ ଆଖିରେ ଲୁହ ବୋଲ ମାନୁନଥିଲା। ଓଢ଼ଣୀ ତଳେ ବହୁଥିଲା ଲୁହର ବନ୍ୟା।
ଲକ୍ ଡାଉନ୍ କାରଣକୁ ଘରକୁ ଫେରୁଥିବା ମୁକେଶଙ୍କ ପାଖରେ ପଇସା ବି ନଥିଲା । ସେ ମାଆଙ୍କ ଠାରୁ କିଛି ପଇସା ବି ମାଗି ଥିଲା । ହେଲେ ମାଆ-ବାପା ଓ ସ୍ତ୍ରୀଙ୍କ ସହ ଭେଟ ହେବାରେ ଅଧାରେ ରହିଗଲା ସବୁଦିନ ପାଇଁ ।