Odia News Portal

ହାତ ବଢ଼ାଇଲେ ସୋନୁ ସୁଦ୍‌ : ପ୍ରବାସୀଙ୍କ ପାଇଁ ଚଲାଇଲେ ବସ୍‌

କରୋନା ଭାଇରସ୍‌ ଯୋଗୁ ଏବେ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଛି। ଏଣୁ ସପିଂ ମଲ୍‌, ଦୋକାନ, ଶୋରୁମ୍‌, ରୋସ୍ତୋରାଁ ସମେତ ଅନ୍ୟ ସାର୍ବଜନୀନ ସ୍ଥାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିଯାଉଛନ୍ତି। କିନ୍ତୁ ଯିବାକୁ ଗାଡ଼ି ନଥିବାରୁ ବାଧ୍ୟ ହୋଇ ସେମାନେ ଚାଲି ଚାଲି ଫେରୁଛନ୍ତି। ଏହି ସମୟରେ କେହି କେହି ଦୁର୍ଘଟଣାରେ ମରୁଛନ୍ତି ତ ଆଉ କିଏ ଅକର୍ମଣ୍ୟ ହୋଇପଡ଼ୁଛନ୍ତି।

ଶ୍ରମିକଙ୍କ ଏହି ଅବସ୍ଥା ଦେଖି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଗତ କିଛି ଦିନ ହେବ ସେ ଶ୍ରମିକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଉତ୍ତର ପ୍ରଦେଶର ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ସେ ୟୁପି ସରକାରଙ୍କ ଠାରୁ ଅନୁମତି ନେଇଛନ୍ତି। କେବଳ ଏତିକି ନୁହେଁ ସୋନୁ ସୁଦ ମହାରାଷ୍ଟ୍ରରୁ କର୍ଣ୍ଣାଟକର ଗୁଲବର୍ଗ ଯାଉଥିବା ଶ୍ରମିକଙ୍କ ପାଇଁ ମଧ୍ୟ ବସ୍‌ ବ୍ୟବସ୍ଥା କରିଛନ୍ତି।

ସେ କହିଛନ୍ତି ଯେ ଲକ୍‌ଡାଉନ୍‌ ବେଳେ ପ୍ରବାସୀଙ୍କ ଦୁର୍ଦ୍ଦଶା ତାଙ୍କୁ ଖୁବ୍‌ ବ୍ୟଥିତ କରିଛି। ଏଣୁ ସେମାନଙ୍କୁ ସାହାଯ୍ୟ କରିବାକୁ ସେ ଆଗେଇ ଆସିଛନ୍ତି। ଏଥିପାଇଁ ସେ ନିଜ ସ୍ତରରେ ସବୁ ପ୍ରକାରର ପ୍ରୟୋଜନ କରିବେ। ସୂଚନାଯୋଗ୍ୟ ଯେ ସୋନୁଙ୍କ ସହାୟତାରେ ଏବେ ଯାଏଁ ଲକ୍ଷ୍ମୌ, ହରଦୋଇ, ପ୍ରତାପଗଡ଼ ଓ ସିଦ୍ଧାର୍ଥନଗର ସମେତ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନକୁ ବସ୍‌ ସେବା ଆରମ୍ଭ କରିଛନ୍ତି।