ଭୁବନେଶ୍ୱର: କରୋନା ମହାମାରୀ ପାଇଁ ରାଜ୍ୟ କଂଗ୍ରେସରେ ଖୁସିର ଲହରୀ । କରୋନାରେ ଅଧିକ ଲୋକ ସୁସ୍ଥ କିମ୍ବା ସରକାରଙ୍କ ସଫଳ ମୁକାବିଲା ପାଇଁ ନୁହେଁ, ବରଂ କରୋନା ଯୋଗୁଁ ଦିଲ୍ଲୀକୁ ବିମାନ ଚଳାଚଳ ବନ୍ଦ ଯୋଗୁଁ ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠି ପୂରା ଖୁସ୍ । କାରଣ ବିମାନ ନଚାଲିବା ଯୋଗୁଁ ଦଳର ଗୋଷ୍ଠି କନ୍ଦଳ ଆଉ ସିଧାସଳଖ ଦିଲ୍ଲୀରେ ପହଞ୍ଚି ପାରୁନାହିଁ । କରୋନା କଟକଣା ଯୋଗୁଁ ଦୁଇମାସ ହେଲା ବିମାନ ଚଳାଚଳ ବନ୍ଦ । ଏବେ ଯେଉଁ ବିମାନ ଚାଲୁଛି ସେଥିରେ ଅତି ଜରୁରୀ କାମ ନଥିଲେ କରୋନା ସଂକ୍ରମଣ ଭୟରେ କେହି ଯାଉ ନାହାନ୍ତି । ରାଜ୍ୟ କଂଗ୍ରେସର ଅସନ୍ତୁଷ୍ଟ ନେତାମାନେ ମଧ୍ୟ ଭୟରେ ଆଉ ଫେରାଦି ପାଇଁ ଦିଲ୍ଲୀ ଯାଇପାରୁ ନାହାନ୍ତି । ଏଇଠି ମନମାରି ପଡିଛନ୍ତି । ଫୋନ୍ କରିବାକୁ ବି ଡର ଲାଗୁଛି । କାରଣ ଏଭଳି ବିପତ୍ତି ସମୟରେ ସିଧା କଥାହେଲେ ଯାହା ହେବ ତାହା ଫୋନ୍ରେ ହେବନାହିଁ ବୋଲି ଜାଣିଛନ୍ତି ।
ତେଣୁ କରୋନା ହଟିବାକୁ ସେମାନେ ଅପେକ୍ଷା କରିଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସ ହାଇକମାଣ୍ଡ ବି ଏବେ କରୋନା ଆଢୁଆଳରେ ବିଜେପିକୁ ଘେରିବାପାଇଁ ଦିଲ୍ଲୀରେ ବ୍ୟସ୍ତ । ଦେଖାହେଲେ ଯାହା ହୁଅନ୍ତା, ଫୋନ୍ରେ କିଛି ହେବନାହିଁ ବୋଲି ଅସନ୍ତୁଷ୍ଟିଆମାନେ ଭଲ ଭାବେ ଜାଣିଛନ୍ତି । ଅସନ୍ତୁଷ୍ଟ ନେତାମାନେ ଦିଲ୍ଲୀ ଯାଇପାରୁନଥିବାବେଳେ ଅନ୍ୟ ଗୋଷ୍ଠିଟି ପୂରା ଖୁସି । ଏତେ ଖୁସି କେବେ ଆଗରୁ ଦେଖିବାକୁ ମିଳିନଥିଲା । ଏହି ମଉକାରେ ଡକାହକା ହୋଇ ନୂଆ ପୁରୁଣା ସମସ୍ତେ କଂଗ୍ରେସ ଭବନରେ ମେଳି ହେଉଛନ୍ତି । ପ୍ରାୟ ପ୍ରତିଦିନ ସରକାର ବିରୁଦ୍ଧରେ ସାମ୍ବାଦିକ ସ୧ିଳନୀ ଆରମ୍ଭ ହୋଇଯାଇଛି । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ମନଭଳି ଗାଳି ଦେଉଛନ୍ତି । ଏହି ଗୋଷ୍ଠି ଏତେ ସକ୍ରିୟ ହୋଇପଡିଛନ୍ତି ଯେ ଅସନ୍ତୁଷ୍ଟମାନେ ଟକ୍କର ଦେବାକୁ ମଉକା ପାଉନାହାନ୍ତି । ସମୟକୁ ଅପେକ୍ଷା କରିବା କେବଳ ସାର ହୋଇଛି । ଉଲ୍ଲେଖନୀୟ ଯେ କରୋନା ପୂର୍ବରୁ ଅସନ୍ତୁଷ୍ଟ ନେତାମାନେ ନିରଞ୍ଜନ ହଟାଅ ଦାବିରେ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଧାଁ ଦଉଡ ଚଳାଇଥିଲେ । ପ୍ରତିଦିନ ବିମାନରେ ମାଳ ମାଳ କଂଗ୍ରେସନେତା ଦିଲ୍ଲୀ ଯାଇ ସଭାପତି ବଦଳାଇବାପାଇଁ ଲବି କରୁଥିଲେ ।
ଏଣେ କଂଗ୍ରେସଭବନକୁ କିଛି ଟୋକା ନେତା ଆରଟିଆଇ ଦପ୍ତରରେ ପରିଣତ କରିଦେଇଥିଲେ । ଦିନେ ଦିନେ ଦୁଇ ତିନିଥର ସାମ୍ବାଦିକ ସ୧ିଳନୀ ଡାକୁଥିଲେ । ଯିଏ ଯେଉଁ ଇସ୍ୟୁ ପାଇଲା ତାକୁ ଧରି କଂଗ୍ରେସଭବନକୁ ଧାଉଁଥିଲା । ଏହି ମଉକାରେ କିଛି ସରକାର ଓ ନିରଞ୍ଜନ ବିରୋଧି ବି ଏହି ଟୋକା ନେତାଙ୍କୁ ହାତବାରିସୀ କରି ଭଲ ଫାଇଦା ଉଠାଇ ଚାଲିଥିଲେ । ଅସନ୍ତୁଷ୍ଟ ଗୋଷ୍ଠିର ନେତାଙ୍କ ସହିତ ଏହି ଟୋକା ନେତାମାନେ ଥିବାରୁ ନିରଞ୍ଜନ ଗୋଷ୍ଠି ନିଜ ସ୧ାନ ଜଗି ତୁନି ରହିଥିଲେ । ହେଲେ ଏବେ କରୋନା ମାଡରେ ଅସନ୍ତୁଷ୍ଟ ନେତାମାନେ ଏକ ପ୍ରକାର ଘାଇଲା ହେବାପରେ ନିରଞ୍ଜନ ଗୋଷ୍ଠି ପୁଣିଥରେ ସକ୍ରିୟ ହେବା କଂଗ୍ରେସ କର୍ମୀଙ୍କୁ କିନ୍ତୁ ଆଶ୍ୱସ୍ତ କରିଛି ।
