Odia News Portal

କ୍ରିକେଟ୍‌ ପରେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଭାଗ୍ୟ ପରୀକ୍ଷା କରିବେ ଧୋନି

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ଦିନ ହେବ କ୍ରିକେଟ୍‌ ଜଗତରୁ ଦୂରରେ ଅଛନ୍ତି। ଏବେ ତାଙ୍କ ଅବସର କଥା ମଧ୍ୟ ଶୁଣିବାକୁ ମିଳିଛି। ତେବେ ଇତି ମଧ୍ୟରେ ଧୋନିଙ୍କୁ ନେଇ ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି। ଆଗକୁ ଫ୍ୟାନ୍‌ମାନେ ଧୋନିଙ୍କୁ କ୍ରିକେଟ୍‌ ପଡ଼ିଆରେ ନୁହେଁ ବରଂ ଟିଭି ପରଦାରେ ଦେଖିବାର ସୁଯୋଗ ପାଇବେ।

ରିପୋର୍ଟ ମୁତାବକ, କ୍ରିକେଟ୍‌ ପରେ ଧୋନି ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଭାଗ୍ୟ ପରୀକ୍ଷା କରିବାକୁ ଯୋଜନା କରୁଛନ୍ତି। ତେବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସୁଶାନ୍ତ ସିଂହ ରାଜପୁତ, ଜନ୍‌ ଆବ୍ରାହମ୍‌ଙ୍କ ଭଳି ଧୋନିଙ୍କର ବହୁତ ଭଲ ସାଙ୍ଗ ଅଛନ୍ତି। ତାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେବା ବେଳେ ଇଣ୍ଡଷ୍ଟ୍ରୀକୁ ଖୁବ୍‌ ନିକଟରୁ ଦେଖିବାର ସୁଯୋଗ ପାଇଥିଲେ ମାହି। ସେହି ସମୟରେ କିଛି ବନ୍ଧୁଙ୍କୁ ସେ ସୁଯୋଗ ମିଳିଲେ ଫିଲ୍ମରେ କାମ କରିବେ ବୋଲି କହିଥିଲେ।

ଗତବର୍ଷ ମାହିଙ୍କୁ ସମୀର କାର୍ତ୍ତିକ ନିଜ ଫିଲ୍ମ ‘ଡଗ୍‌ ହାଉସ୍‌’ରେ କାମ କରିବାକୁ ଅଫର ଦେଇଥିଲେ। ଧୋନି ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିଲେ। ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ସୁନୀଲ ସେଟ୍ଟୀ ଓ ଆର ମାଧବନ୍‌ କାମ କରୁଛନ୍ତି। ଫିଲ୍ମର କାହାଣୀ ଅଣ୍ଡର ଡଗ୍ସଙ୍କ ଉପରେ ପର୍ଯ୍ୟବେସିତ। ରିପୋର୍ଟ ମୁତାବକ ଧୋନି ଆଗରୁ ଆହୁରି ଅଧିକ ଫିଲ୍ମରେ ସାଇନ୍‌ କରିପାରନ୍ତି।
ତେବେ କ୍ରିକେଟର ଫିଲ୍ମରେ କାମ କରିବା କିଛି ନୂଆ କଥା ନୁହେଁ। ପୂର୍ବରୁ ସୁନୀଲ ଗାଭାସ୍କର, ସନ୍ଦୀପ ପାଟିଲ, ବିନୋଦ କାମ୍ବଲୀ, ଅଜୟ ଜାଡ଼େଜା, ସେୟଦ କିରମାନୀ, ସଲିଲ ଅଙ୍କୋଲା ପ୍ରମୁଖ କ୍ରିକେଟର ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିସାରିଛନ୍ତି।