Odia News Portal

ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ ଦିବ୍ୟା !

ମୁମ୍ବାଇ : ୨୦୨୦ ବଲିଉଡ୍ ପାଇଁ କଳାଦିନ ପାଲଟିଯାଇଛି। ଗୋଟିଏ ପରେ ଗୋଟିଏ ଝଟକା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିଚାଲିଛି। ଆଜି ଅଭିନେତ୍ରୀ ତଥା ମଡେଲ ଦିବ୍ୟା ଚୌକସେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଦିବ୍ୟା ଚୌକସେଙ୍କ ମୃତ୍ୟୁ ଖବର ତାଙ୍କ ବନ୍ଧୁ ଏବଂ ଭଉଣୀ ଫେସବୁକରେ ସୂଚନା ଦେଇଛନ୍ତି। ଦିବ୍ୟା ଚୌକସେଙ୍କ ଦେହାନ୍ତ ଖବର ଆସିବା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରି ଦେଇଛନ୍ତି। ଦିବ୍ୟା ଚୌକସେ କର୍କଟ ରୋଗରେ ପୀଡିତ ଥିଲେ। ଦିବ୍ୟାଙ୍କ ଜଣେ ଖାସ୍‌ ବନ୍ଧୁ ନିହାରିକା ରାୟଜାଦା ଫେସବୁକରେ ଏକ ପୋଷ୍ଟ ଲେଖି ଦିବ୍ୟାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ, ଦିବ୍ୟାଙ୍କ ସମ୍ପର୍କୀୟ ଭଉଣୀ ସୋମ୍ୟା ତାଙ୍କ ଫେସବୁକ୍ ଆକାଉଣ୍ଟରେ ଲେଖିଛନ୍ତି – ‘ମୋତେ ବହୁତ ଦୁଃଖର ସହ କହିବାକୁ ପହୁଛି ଯେ, ମୋର ସମ୍ପର୍କୀୟ ଦିବ୍ୟା ଚୌକସେଙ୍କର କର୍କଟ ରୋଗ ଯୋଗୁଁ ବହୁତ କମ୍ ବୟସରେ ଦେହାନ୍ତ ହୋଇଛି।

ସୋମ୍ୟା ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ‘ଦିବ୍ୟା ଲଣ୍ଡନରୁ ଏକ ଅଭିନୟ ପାଠ୍ୟକ୍ରମ କରିଥିଲେ ଏବଂ ସେ ମଧ୍ୟ ବହୁତ ଭଲ ମଡେଲ ଥିଲେ। ସେ ଅନେକ ଚଳଚ୍ଚିତ୍ର ଏବଂ ସିରିଏଲରେ କାମ କରିଛନ୍ତି । ଆଜି ସେ ଆମକୁ ଏହିପରି ଛାଡି ଚାଲିଗଲେ । ତାଙ୍କର ଆତ୍ମାକୁ ​​ଶାନ୍ତି ମିଳୁ। ‘ ଏହା ସହ ଦିବ୍ୟାଙ୍କ ବନ୍ଧୁ ନିହାରିକା ଏକ ପୋଷ୍ଟରେ ଲେଖିଛନ୍ତି, ‘ଦିବ୍ୟାଙ୍କ ଦେହାନ୍ତ ଖବର ଶୁଣିବା ଅତ୍ୟନ୍ତ ଦୁଃଖଦାୟକ। ସେ ଏକ ଜୀବନ୍ତ ଏବଂ ଉତ୍ସାହୀ ବ୍ୟକ୍ତିତ୍ୱ ଥିଲେ । ଆମେ ସମସ୍ତେ ତାଙ୍କୁ ମିସ୍‌ କରିବୁ ।’ ଦିବ୍ୟା ଚୌକସେ ଟ୍ବିଟରରେ ଏତେଟା ସକ୍ରିୟ ନଥିଲେ। କିନ୍ତୁ ନିଜର ଶେଷ ଟ୍ବିଟରରେ ସେ ସମସ୍ତଙ୍କୁ ଅନେକ ସାହାଯ୍ୟ ମାଗିଥିଲେ। ଦିବ୍ୟା ଏହି ଶେଷ ଟ୍ବିଟ୍‌କୁ ମେ ୭ ତାରିଖରେ ପୋଷ୍ଟ କରିଥିଲେ। ସେ ଆହୁରି ଲେଖିଥିଲେ କି, ‘ ମୁଁ ଏକ Misseltow ଥେରାପି ସମ୍ପର୍କରେ ଜାଣିଛି, ମୋତେ ସାହାଯ୍ୟର ଆବଶ୍ୟକତା ରହିଛି ।’

ସୂଚନାଯୋଗ୍ୟ ଯେ, ଦିବ୍ୟା ନିଜ କ୍ୟାରିଅରର ଆରମ୍ଭ ଫିଲ୍ମ  ‘ହେ ଅପନା ଦିଲ ତୋ ଅବାରା’ ରୁ କରିଥିଲେ। ଏହି ଚଳଚ୍ଚିତ୍ରରେ ଦିବ୍ୟା ‘ସାନିଆ ଦଲୱାନୀ’ର ଭୂମିକାରେ ଅଭିନୟ କରିଥିଲେ। ଅନେକ ବିଜ୍ଞାପନରେ ଦିବ୍ୟାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ଅଭିନୟ ବ୍ୟତୀତ ଦିବ୍ୟା ମଧ୍ୟ କଥକ, ବଲରୁମ୍ ଏବଂ ଡ୍ୟାନ୍ସରେ ଟ୍ରେନିଂ ନେଇଥିଲେ। ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ସମୟ ମଧ୍ୟରେ ଅନେକ ତାରକା ଆମକୁ ବିଦାୟ ଦେଇଛନ୍ତି । ଏହି ତାଲିକାରେ ସୁଶାନ୍ତ ସିଂ ରାଜପୁତ, ୱାଜିଦ୍ ଖାନ୍, ଋଷି କପୁର, ସରୋଜ ଖାନ୍, ଇରଫାନ୍ ଖାନ୍ ଏବଂ ଯୋଗେଶଭ୍କ ସମେତ ଅନେକ ନାଁ ସାମିଲ ରହିଛି।