ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟଙ୍କ ପୁଣି ଏକ ଐତିହାସିକ ନିଷ୍ପତ୍ତି । ମଙ୍ଗଳବାର ଦିନ ଦେଶର ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି କି ଝିଅମାନଙ୍କୁ ହିନ୍ଦୁ ଉତ୍ତରାଧିକାର ଅଧିନିୟମରେ ୨୦୦୫ର ସଂଶୋଧନ ଅନୁସାରେ ପୈତୃକ ସମ୍ପତି ଉପରେ ସଂପୂର୍ଣ୍ଣ ଅଧିକାର ରହିବ । ପୁଅଙ୍କ ସହ ସେମାନେ ବି ସମ୍ପତ୍ତିର ଭାଗ ନେଇପାରିବେ ।
ଉଲ୍ଲେଖନୀୟ ଯେ, ହିନ୍ଦୁ ଉତ୍ତରାଧିକାର ( ସଂଶୋଧନ) ଅଧିନିୟମ ୨୦୦୫ଲାଗୁ ହେବା ପୂର୍ବରୁ ଯଦି ବାପାଙ୍କର ମୃତ୍ୟୁ ହୋଇଥାଏ,ତେବେ ମଧ୍ୟ ମାତା-ପିତାଙ୍କ ସମ୍ପତ୍ତି ଉପରେ ଝିଅଙ୍କର ଅଧିକାର ଅଛି । ଏଥିରୁ ତାଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ । ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ବୋଚ୍ଚ କୋର୍ଟଙ୍କ ୩ ଜଣିଆ ବିଚାରପତିଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
ସୂଚନା ଯେ, ୧୯୮୫ରେ ଯେବେ ଏନ୍ଟି ରାମାରାଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ , ସେହି ସମୟରେ ସେ ପୈତୃକ ସମ୍ପତ୍ତି ଉପରେ ଝିଅଙ୍କୁ ସମାନ ଅଂଶୀଦାରର ଆଇନ୍ ପାସ୍ କରିଥିଲେ । ଏହାର ଠିକ୍ ୨୦ ବର୍ଷ ପରେ ସଂସଦ ୨୦୦୫ରେ ପୁରା ଦେଶପାଇଁ ପୈତୃକ ସମ୍ପତ୍ତିରେ ପୁଅଙ୍କ ସହ ଝିଅମାନଙ୍କର ସମାନ ଭାଗ ରହିବାର ଆଇନ୍ ପାସ୍ କରିଥିଲେ । ଏହି ମାମଲା ଭଉଣୀ –ଭାଇ ମଧ୍ୟରେ ସମ୍ପତ୍ତି ଭାଗବାଣ୍ଟର ଥିଲା ।
ସୁପ୍ରିମ୍କୋର୍ଟରେ ଭଉଣୀଙ୍କର ଗୁହାରୀ ଥିଲା ଯେ , ଭାଇମାନେ ନିଜର ଭଉଣୀକୁ ଏହା କହି ସମ୍ପତ୍ତିକୁ ସମାନ ଭାଗ କରିବାକୁ ମନା କରିଦେଇ ଥିଲେ କି ପିତାଙ୍କ ମୃତ୍ୟୁ ୨୦୦୫ରେ ୯ ଡିସେମ୍ୱର ପୂର୍ବରୁ ହୋଇଥିଲା । ଏଣୁ ସଂଶୋଧନ ଏହି ମାମଲାରେ ଲାଗୁ ହେବ ନାହିଁ ।
ସୁପ୍ରିମ୍କୋର୍ଟ ନିଜର ନିଷ୍ପତ୍ତି ଜରିଆରେ ଏହା ସ୍ପଷ୍ଟ କରିଛନ୍ତି କି ୯ ଡିସେମ୍ୱର ୨୦୦୫ପୂର୍ବରୁ ଯଦି କାହାର ପିତାଙ୍କର ମୃତ୍ୟୁ ହୋଇଯାଇଥିବ , ତେବେ ବି ଝିଅମାନେ ସଂପତ୍ତିରେ ପୁଅଙ୍କ ସହ ସମାନ ଅଧିକାର ପାଇବେ।
ଏହି ନିଷ୍ପତ୍ତିକୁ ଘୋଷଣା କରି , ଜଷ୍ଟିସ୍ ମିଶ୍ର ଝିଅ ଓ ପୁଅଙ୍କୁ ସମାନ ଅଧିକାର ପ୍ରଦାନ କରିବା ଉପରେ ମହତ୍ତ୍ୱ ଦେଇଛନ୍ତି । ପିତା ଜୀବିତ ଥାଆନ୍ତୁ ବା ନଥାନ୍ତୁ , ହେଲେ ପୁଅ ଭଳି ଝିଅର ମଧ୍ୟ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିବ ।