Odia News Portal

କରୋନାକୁ ହରାଇଲେ ୯୮ ବର୍ଷିୟ ପୂର୍ବତନ ସୈନିକ

ମୁମ୍ୱାଇ : କରୋନା ମହାମାରୀର ଏହି ସଙ୍କଟ ପରିସ୍ଥିତିରେ ଏମିତି ଖବର ଆସିଛି, ଯାହା ଲୋକଙ୍କ ମନରେ ଆଶାର କିରଣ ଜଗାଇଛି। ଦେଶରେ ଗୋଟେ ପଟେ କରୋନାରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ରୋଗରୁ ସୁସ୍ଥ ହେବା ଲୋକେ ବି ସାହସ ଦେଉଛନ୍ତି। ଏମିତି ଏକ ଖବର ସାମନାକୁ ଆସିଛି। ମୁମ୍ୱାଇର ୯୮ ବର୍ଷିୟ ଜଣେ ପୂର୍ବତନ ସୈନିକ କରୋନାକୁ ମାତ୍‌ ଦେଇ ଜୀବନ ଯୁଦ୍ଧ ଜିତି ନେଇଛନ୍ତି । ଏବେ ସେ ପୁରାପୁରି ଠିକ୍‌ ହୋଇ ଘରକୁ ଫେରିଛନ୍ତି।

୯୮ ବର୍ଷିୟ ଏହି ପୂର୍ବତନ ସୈନିକଙ୍କ ନାଁ ରାମୁ ଲକ୍ଷ୍ମଣ ସକପାଳ। ଯିଏ କି ପୂର୍ବରୁ ସେନାରେ ମହାର ରେଜିମେଣ୍ଟରେ ସିପାହୀ ରାଙ୍କ୍‌ରେ ମୃତୟନ ଥିଲେ। ସକପାଳ ନଭି ମୁମ୍ୱାଇର ନେରୁଲାରେ ରୁହନ୍ତି । ତାଙ୍କୁ କରୋନା ସଂକ୍ରମଣ ହେବା ପରେ ନେଭି ହସ୍ପିଟାଲ ଜାହାଜ (ପାଣି ଜାହାଜରେ ତିଆରି ହସ୍ପିଟାଲ)ଅଶ୍ୱିନୀରେ ଭର୍ତ୍ତି କରାଯାଇଥିଲା।

ସକପାଳ ପୂର୍ବରୁ ଦେଶ ପାଇଁ ଯୁଦ୍ଧ ମଧ୍ୟ ଲଢ଼ିସାରିଛନ୍ତି। କିଛି ସପ୍ତାହ ପୂର୍ବେ ତାଙ୍କୁ କୋଭିଡ୍‌ ଭିତରେ ନ୍ୟୁମୋନିଆର ସମସ୍ୟା ହୋଇଥିଲା। ଅଶ୍ୱିନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା। ସମ୍ପୂର୍ଣ୍ଣ  ସୁସ୍ଥ ହେବା ପରେ ୧୫ ଅଗଷ୍ଟରେ ସେ ହସ୍ପିଟାଲରୁ ଘରକୁ ଫେରିଛନ୍ତି ।

ଭାରତୀୟ ସେନାରେ ମହାର ରେଜିମେଣ୍ଟରେ ନିଜର ସେବା କରିସାରିଥିବା ସିପାହୀ ସକପାଳ ଏପର୍ଯ୍ୟନ୍ତ ନିଜର ଜୀବନରେ ସ୍ପେନିଶ୍ ଫ୍ଲୁରୁ ନେଇ କରୋନା ଭାଇରସ୍‌ର ମହାମାରୀ ଦେଖିସାରିଛନ୍ତି। କରୋନା ସଂକ୍ରମଣରେ ସକପାଳ ନିଶ୍ଚୟ ପ୍ରଭାବିତ ହୋଇଛନ୍ତି , ହେଲେ ଏହା ବିରୁଦ୍ଧରେ ସଫଳତା ପୂର୍ବକ ଯୁଦ୍ଧ ଜିତି ସାରିଛନ୍ତି । ୧୫ ଅଗଷ୍ଟରେ ତାଙ୍କର ଯୁଦ୍ଧ ପୁରା ସଫଳ ହେଲା ଯେବେ ସେ ସୁସ୍ଥ ହୋଇ ଘରକୁ ଫେରିଲେ । ସକପାଳଙ୍କ ଏହି କଥା ଲୋକଙ୍କ ପାଇଁ ଏକ ପ୍ରେରଣା ସଦୃଶ୍ୟ , ଯିଏକି କରୋନା ଭାଇରସ୍‌ରେ ସଂକ୍ରମିତ ହେବା ପରେ ଆତ୍ମବିଶ୍ୱାସ  ହରାଇ ବସିଥାନ୍ତି । ସକପାଳଙ୍କ ସଫଳତା ଦର୍ଶାଇଛି ଯେ,  ମଣିଷ ଯଦି ଆତ୍ମବିଶ୍ୱାସକୁ ମଜବୁତ୍‌ ରଖେ ତ ଜୀବନର ଯେକୌଣସି ପରିସ୍ଥିତିରେ ଯେତେ ବଡ଼ ସମସ୍ୟା ଆସୁ ଅତିକ୍ରମ କରିହେବ।