ମୁମ୍ବାଇ : ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ପ୍ରସିଦ୍ଧ ଆଡ୍ଭେଞ୍ଚର ସୋ’ ‘ଇନ୍ଟୁ ଦ ୱାଇଲ୍ଡ ୱିଥ୍ ବିଅର ଗ୍ରିଲସ’ର ସ୍ୱତନ୍ତ୍ର ଏପିସୋଡ୍ରେ ଦେଖିବାକୁ ମିଳିବ । ସେପ୍ଟେମ୍ବର ୧୧ ତାରିଖରେ ଡିସ୍କଭରି ପ୍ଲସ ଆପ୍ ଏବଂ ୧୪ ତାରିଖରେ ଡିସ୍କଭରି ଚ୍ୟାନେଲରେ ଏହାର ପ୍ରସାରଣ କରାଯିବ । ଅକ୍ଷୟ ନିଜେ ଶୁକ୍ରବାର ଏହାର ଟିଜର ସୋସିଆଲ ମିଡିଆ ଏକାଉଣ୍ଟରେ ସେୟାର କରିଛନ୍ତି ।
କ୍ୟାପ୍ସନରେ ଲେଖିଛନ୍ତି ‘ଆପଣମାନେ ଭାବୁଥିବେ ମୁଁ ପାଗଳ ହୋଇଯାଇଛି…ପ୍ରକୃତରେ କିନ୍ତୁ ଜଙ୍ଗଲକୁ ଗଲେ ହିଁ ମୁଁ ପାଗଳ ହୋଇଥାଏ।’ ସ୍ପଳ୍ପ ସମୟର ଏହି ଟିଜରରେ ଅକ୍ଷୟଙ୍କ ସହିତ ସୋ’ର ସଂଚାଳକ ବିଅର ଗ୍ରିଲସଙ୍କୁ ଏକ ଜଙ୍ଗଲରେ ଦେଖିବାକୁ ମିଳୁଛି । ବଲିଉଡ୍ର ଫିଟ୍ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ଅକ୍ଷୟ ସେହି ଭିଡିଓରେ ନଦୀ ଅତିକ୍ରମ କରିବା ସହ ଦଉଡ଼ି ଦ୍ୱାରା ଗଛରୁ ଝୁଲୁଥିବା ଦେଖାଯାଉଛି ।
କର୍ଣ୍ଣାଟକର ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟରେ ଏହାର ସୁଟିଂ କରାଯାଇଛି। ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୋ’ର ସ୍ୱତନ୍ତ୍ର ଏପିସୋଡ୍ରେ ଆସିଥିଲେ। ପରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ଏଥିରେ ଦେଖିବାକୁ ମିଳିଥିଲା ।