Odia News Portal

ମିଶନ 120 ପ୍ଲସ ଓଡିଶା ପାଇଁ ନୁହେଁ, ସଂସଦ ପାଇଁ

ଭୁବନେଶ୍ବର () : ବିଜେଡି ସାଂସଦ ତଥାଗତ ଶତପଥୀ 2019 ନିର୍ବାଚନର ଫଳାଫଳକୁ ନେଇ ନୂଆ ଗଣିତର ସୂତ୍ର ଦେଇଛନ୍ତି । ଏପରିକି ବିଜେପି ଓ କଂଗ୍ରେସ ସିବିଆଇକୁ ବିଜେଡି ମ୍ୟାନେଜ କରିଥିବା ନେଇ ଯେଉଁ ଅଭିଯୋଗ ଆଣିଛନ୍ତି, ସେହି ପ୍ରସଙ୍ଗରେ ମଧ୍ୟ ଜବାବ ରଖିଛନ୍ତି ।

ଆସନ୍ତା ସାଧାରଣରେ ବିଜେପିର ମିଶନ 120 ପ୍ଲସ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ବିଜେପି ସରକାର ଶେଷରେ ନିଜର ସ୍ଥିତିକୁ ପରଖି ସେମାନଙ୍କ ସ୍ଥିତି ଭଲ ନାହିଁ ବୋଲି ସ୍ବୀକାର କରିଛନ୍ତି । 2014ରେ ବିଜେପି ଲୋକସଭାରେ 282 ଆସନରୁ 2019ରେ120 ଆସନକୁ ହ୍ରାସ ପାଇବ ଏହାକୁ ସେମାନେ ସ୍ବୀକାର କରିଛନ୍ତି । ତେବେ ମିଶନ 120 ପ୍ଲସ ଦାବି ସଂସଦରେ ନୁହେଁ, ଓଡିଶାରେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ସେମାନେ ସଂସଦରେ ନିଜ ଶକ୍ତିକୁ ଆକଳନ କରୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଯାଇଥିବା କୌଣସି ପୋଷ୍ଟରରେ ସେମାନେ ରାଜ୍ୟ ବିଧାନସଭାରେ 120 ଆସନ ଦଖଲ କରିବା କଥା ଲେଖିନାହାଁନ୍ତି । ତେଣୁ ସେମାନଙ୍କର ମିଶନ 120 ଲୋକସଭା ପାଇଁ ରାଜ୍ୟ ବିଧାନସଭା ପାଇଁ ନୁହେଁ ବୋଲି ସେ କହିଛନ୍ତି ।

ତେବେ ଓଡିଶାରେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିର ସଫଳତାକୁ ନେଇ ସେ ପୂର୍ବାନୁମାନ କରି କହିଛନ୍ତି ଯେ, ବିଜେଡି 140 ଆସନ ଦଖଲ କରିବ ଏବଂ କଂଗ୍ରେସ 7ଟି ଆସନ ପାଇବ । କଂଗ୍ରେସ କେଉଁ 7ଟି ଆସନ ଜିତିପାରିବ ତାହା ବି ସେ ସମୟ ଆସିଲେ ସ୍ପଷ୍ଟ କରିବେ । ଲୋକସଭାରେ ସେହିପରି ବିଜେଡି 100 ପ୍ରତିଶତ ସଫଳତା ପାଇବ, ଅର୍ଥାତ ସମସ୍ତ 21ଟି ଯାକ ଲୋକସଭା ଆସନ ଦଖଲ କରିବ ବୋଲି ସେ କହିଛନ୍ତି ।

ସେହିଭଳି କେନ୍ଦ୍ରରେ ସିବିଆଇର ଅନ୍ତର୍ଦ୍ବନ୍ଦ୍ବ ସଂପର୍କରେ ସେ ବିଜେପି ସରକାରକୁ ସମାଲୋଚନା କରିଛନ୍ତି । ପୂର୍ବରୁ କଂଗ୍ରେସ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ବେଳେ ଏବେ ବିଜେପି ସେହି କାର୍ଯ୍ୟ କରୁଛି । କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କ ଉପରେ ସିବିଆଇକୁ ମ୍ୟାନେଜ କରିଥିବା ଅଭିଯୋଗ କରୁଛନ୍ତି । ସିବିଆଇ କେନ୍ଦ୍ରୀୟ ସଂସ୍ଥା ହୋଇଥିବା ବେଳେ ଏହା ଉପରେ କେନ୍ଦ୍ରର କର୍ତ୍ତୃତ୍ବ ରହୁଛି । ଯଦି ଏକ ଆଞ୍ଚଳିତ ଦଳ ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାକୁ ପ୍ରଭାବିତ କରିପାରୁଛି ତେବେ ବିଜେଡି କେନ୍ଦ୍ରରେ ସରକାରରେ ରହିବା କଥା ବୋଲି ସେ କହିଛନ୍ତି ।

ସେପଟେ ତଥାଗତଙ୍କ ଗଣିତକୁ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ହାସ୍ୟାସ୍ପଦ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ତଥାଗତ ବାବୁ ଅନେକ ସମୟରେ ଏଭଳି ହାଲୁକା ମନ୍ତବ୍ୟ ଦିଅନ୍ତି । ସେ ଯଦି ମିଶନ 120 ପ୍ଲସ ବାବଦରେ ଜାଣିନାହାଁନ୍ତି ତେବେ ସେ ତାଙ୍କ ଦଳର ସୁପ୍ରିମୋଙ୍କୁ ପଚରାନ୍ତୁ ।