ଭୁବନେଶ୍ୱର() ଟ୍ୱିନ ସିଟି ପୁଲିସ୍ କମିଶନରଙ୍କ ନାଲିଆଖି ପରେ ଏବେ ବଟି ଆଦାୟ କରୁଥିବା ଦାଦାଙ୍କ ଉପରେ ଭାରି ପଡିବା ଆରମ୍ଭ କରି କମିଶନରେଟ ପୁଲିସ୍ । ଆଜିଠାରୁ ଉଭୟ ସହରରେ ଆରମ୍ଭ ହୋଇଛି ଦାଦା ସାବାଡ ଅଭିଯାନ । ସବୁ ସ୍ତରରୁ ଏହାକୁ ପ୍ରଶଂସା କରାଯାଉଥିବାବେଳେ ଅନୁରୂପ ଷ୍ଟାଇଲରେ ନିଶାଡିମାନଙ୍କୁ ଧରିଲେ ଆଇନ୍ଶୃଙ୍ଖଳା ସଜାଡି ହୋଇଯିବ ବୋଲି ମତପ୍ରକାଶ ପାଉଛି ।
ପୁଲିସ୍ କମିଶନ ସୁଧାଂଶୁ ଷଡଙ୍ଗୀ ବଟି ଆଦାୟକାରୀଙ୍କୁ ଛଡାଯିବ ନାହିଁ ବୋଲି କହିବାପରେ ପୁଲିସ୍ ବାବୁମାନେ ଏବେ ଜଣେ ଜଣେ ଦାଦାଙ୍କୁ ମାଡି ବସୁଛନ୍ତି । ଲୋକେ ଏହାକୁ ସମର୍ଥନ କରୁଛନ୍ତି । ବଟି ଦେଇ ଦେଇ ଅତିଷ୍ଠ ହୋଇପଡିଥିବା ବ୍ୟବସାୟୀମାନେ ଏବେ ପୁଲିସ୍ କାର୍ଯ୍ୟକୁ ନେଇ ଖୁସି ବ୍ୟକ୍ତ କରୁଥିବାବେଳେ ଏହା ଜାରି ରଖିବାକୁ ମତ ଦେଇଛନ୍ତି । ଯଦି ପୁଲିସ୍ କୋହଳ କରିବ ତେବେ ଦାଦାମାନେ ସେମାନଙ୍କ ଅବସ୍ଥା ବାରଣ୍ଡା ଦି କଡା କରିବେ ବୋଲି କିଛି ବ୍ୟବସାୟୀ ମତ ଦେଉଛନ୍ତି । ଭୁବନେଶ୍ୱର ସମେତ କଟକରେ ବି ଆରମ୍ଭ ହୋଇଛି ଦାଦା ସାବାଡ ଅଭିଯାନ ।
ଏହି ବଟି ଆଦାୟକାରୀ ଦାଦାମାନଙ୍କୁ ସାବାଡ କରିବାପାଇଁ ପୁଲିସ୍ କମିଶନର ସାଧାରଣ ଜନତାଙ୍କ ସହାୟତା ଲୋଡିଛନ୍ତି । ଯେଉଁମାନେ ଏମାନଙ୍କ ସୂଚନା ଦେବେ ସେମାନଙ୍କ ନାମ ଗୁପ୍ତ ସହିତ ଆବଶ୍ୟକ ସ୍ଥଳେ ସୁରକ୍ଷା ଯୋଗାଇ ଦେବାଲାଗି ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ହ୍ୱାଟ୍ସଆପ୍ ନମ୍ବରର ବ୍ୟବହାର କରାଯାଉଛି । ତେବେ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଭୟ ଦୂର ପାଇଁ ପ୍ରଥମେ ପୁଲିସ୍ ଗୁଇନ୍ଦା ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।
ତେବେ ରାଜଧାନୀ ସମେତ କଟକର ଆଇନ୍ ଶୃଙ୍ଖଳା ପ୍ରତି ବିପଦ ସାଜିଥିବା ନିଶା ବେପାରୀ ଓ ସେବନକାରୀଙ୍କ ପ୍ରତି ଅନୁରୂପ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ମତ ପ୍ରକାଶ ପାଉଛି । ଲୋକଙ୍କ କହିବା କଥା ଯେ ଦାଦାମାନେ ସିନା ମଝିରେ ମଝିରେ ବଟି ମାଗୁଛନ୍ତି ହେଲେ ନିଶା ବେପାରୀମାନେ ୨୪ଘଣ୍ଟିଆ ବେପାର ଚଳାଇ ଆଇନ୍ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରି ଦେଉଛନ୍ତି । ସେମାନଙ୍କ ପାଲରେ ପଡି ରାଜଧାନୀର ଯୁବକ ଯୁବତୀମାନେ ପଥଭ୍ରଷ୍ଟ ହେଉଥିବାବେଳେ ଅନେକ ଛୋଟ ବଡ ଅପରାଧି ସାଜୁଛନ୍ତି । ସହରରେ ଏବେ ବ୍ରାଉନସୁଗାର ଠାରୁ ଆରମ୍ଭ କରି ଗଞ୍ଜେଇ ପର୍ଯ୍ୟନ୍ତ ସବୁକିଛି ଖୁଲମ ଖୁଲା ବିକ୍ରି ହେବାରେ ଲାଗିଛି । ନିଶାଡି ଓ ନିଶା ବେପାରୀଙ୍କ ଭୟରେ ଲୋକେ ପୁଲିସ୍କୁ ଖବର ଦେଉନାହାନ୍ତି ।
କିଛି ତଳିଆ ପୁଲିସ୍ ଓ ଗୁଇନ୍ଦା ପୁଲିସ୍ମାନେ ଏହି ନିଶାବେପାରୀଙ୍କ ଠାକ ଠିକଣା ଜାଣିଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ସହରର ଅନ୍ୟ କୌଣସି ଅଞ୍ଚଳ ତ ଦୂରରକଥା ଖୋଦ ରାଜଭବନ ନିକଟରେ ଥିବା ଛଅ ନମ୍ବର ୟୁନିଟ୍ରେ ଯେଭଳି ଖୁଲମ ଖୁଲା ବ୍ରାଉନସୁଗାର ଓ ଗଞ୍ଜେଇ ବେପାର ଚାଲିବା ଓ ପୁଲିସ୍ ଏହାକୁ ନିପାତ ନକରିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଅଞ୍ଚଳରେ ରାଜ୍ୟପାଳଙ୍କ ସହିତ ରାଜ୍ୟ ପ୍ରଶାସନର ମନ୍ତ୍ରୀ ଓ ସଚିବମାନେ ରହୁଛନ୍ତି । ବଡ ଠାରୁ ସାନ ପର୍ଯ୍ୟନ୍ତ ଅନେକ ପୁଲିସ୍ ଏହି ଅଞ୍ଚଳରେ ସରକାରୀ କ୍ୱାଟର୍ସ ପାଇଛନ୍ତି । ହେଲେ ଏଠାରେ ପାହାନ୍ତା ପ୍ରହରରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଗଞ୍ଜେଇ ଟଣା ଓ ଅନ୍ୟାନ୍ୟ ନିଶା ସେବନ ଚାଲିଛି । ତେଣୁ ଦାଦା ମାନଙ୍କ ଭଳି ନିଶାଡି ଓ ନିଶା ବେପାରୀଙ୍କୁ ସାବାଡ କରିବା ଲାଗି ପୁଲିସ୍ କମିଶନର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।