Odia News Portal

ଆଜିଠୁ ଶେଷ ଲଢେଇ

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାରଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ଟେଷ୍ଟ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟବରଣ କରିଥିବା ଟିମ୍ ଇଣ୍ଡିଆ ପରବର୍ତି ଦୁଇ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ସ୍ପିନ୍ ଅସ୍ତ୍ର ପ୍ରୟୋଗ ବଳରେ ଜବରଦସ୍ତ ବିଜୟ ସହ 2-1ରେ ଅଗ୍ରଣୀ ହାସଲ କରିଛି । ଅନ୍ତିମ ଟେଷ୍ଟରେ ପୁଣି ଥରେ ସ୍ପିନ୍ ଅନୁକୂଳ ପିଚରେ ଇଂଲଣ୍ଡକୁ ମାତ ଦେଇ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ଭାରତ ପଡିଆକୁ ଓହ୍ଲାଇବ । ଏହି ମୁକାବିଲାକୁ ଭାରତ ଅନ୍ତନ୍ତଃ ଡ୍ର ରଖି ପାରିଲେ ବିଶ୍ ଟେଷ୍ଟ ଚମ୍ପିଅାନସିପ୍ ଫାଇନାଲରେ ପ୍ରବେଶ କରି ପାରିବ । ସେହିପରି ଇଂଲଣ୍ଡ ଏହି ମ୍ୟାଚରେ ବିଜୟୀ ହେଲେ ସିରିଜ୍ ଡ୍ର’ ରହିବ । ସକାଳ ସାଢେ 9ଟାରୁ ମ୍ୟାଚ୍ ଆରମ୍ଭ ହେବ ।

ଭାରତୀୟ ଦଳ ଅନ୍ତିମ ମ୍ୟାଚରେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ବିନା ପଡିଆକୁ ଓହ୍ଲାଇବ ଫିଟ୍ ହୋଇ ଦଳକୁ ଫେରିଥିବା ଉମେଶ ଯାଦବ ଚୂଡାନ୍ତ ଏକାଦଶରେ ସାମିଲ ହୋଇ ପାରନ୍ତି । ଏହା ଦେଖିବା ବାକି ରହିଲା ଯେ, ଇଶାନ୍ତ ଶର୍ମାଙ୍କ ଯୋଡିଦାର ବୋଲର ମହମ୍ମଦ ସିରାଜ ହେବେ ନା ଉମେଶ ଯାଦବ । ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ଭଲ ପ୍ରଦର୍ଶନ କରିଥିଲେ । ତେବେ ଘରୋଇ ମାଟିରେ ଉମେଶଙ୍କ ଦମଦାର ରେକର୍ଡ ରହିଛି ଏବଂ ଚୂଡାନ୍ତ ଏକାଦଶରେ ସାମିଲ ହେବା ନେଇ ପ୍ରବଳ ଦାବିଦାର ଅଛନ୍ତି । ବ୍ୟାଟିଂରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ଖୁବ୍ କମ ରହିଛି । ଓପନିଂରେ ରୋହିତ ଶର୍ମା ଓ ଶୁବମାନ ଗିଲ୍ ରହିଥିବାବେଳେ ମଧ୍ୟ କ୍ରମ ବ୍ୟାଟିଂ ଭାର ସମ୍ଭାଳିବେ ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ । ଅଲରାଉଣ୍ଡର ସହ ସ୍ପିନ ବିଭାଗ ସମ୍ଭାଳିବେ ଭାବେ ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ତାଙ୍କୁ ସହଯୋଗ କରିବେ ଓ୍ୱାଶିଂଟନ ସୁନ୍ଦର ।

ସେହିପରି ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଇଂଲଣ୍ଡର ଚମକ୍ ଫିକା ପଡ଼ିଯାଇଛି । ଅଧିନାୟକ ଜୋ ରୁଟ୍ ଏହି ଟେଷ୍ଟରେ ଦ୍ୱିଶତକ ହାସଲ କରିବା ପରେ ଆଉ ଅନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ତାଙ୍କ ବ୍ୟତୀତ ବେନ ଷ୍ଟୋକ୍ସ, ଡିପି ସିବଲେ, ଡିପ୍ଲୁ ଲରେନ୍ସ, ଓଲି ପୋପ, ଜନି ବେୟାରଷ୍ଟୋ, ଫୋକ୍ସ, ବର୍ଣ୍ଣସ, କ୍ରଲେ ପ୍ରମୁଖ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି। ସ୍ପିନର ଲିଚ୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କ ଉପରେ ଚାପ ପକାଇବାରେ ସଫଳ ହୋଇଛନ୍ତି । ପେସର ଆଣ୍ଡରସନ୍, ଆର୍ଚ୍ଚର, ବ୍ରଡ୍ ସେପରି କୌଣସି ଆଖି ଦୃଶିଆ ସଫଳତା ପାଇପାରିନାହାନ୍ତି । ଦୁଇ ମ୍ୟାଚର ରାଜୟକୁ ଭୁଲି ଟେଷ୍ଟ ଶୃଙ୍ଖଳାକୁ ଡ୍ର’ ରଖିବାକୁ ଇଂଲଣ୍ଡ ଚେଷ୍ଟା କରିବ ।