Odia News Portal

ମୋଦିଙ୍କ ସମାବେଶ, ଦିଦିଙ୍କ ପଦଯାତ୍ରା

କୋଲକାତା/ସିଲିଗୁଡି : ପଶ୍ଚିମବଙ୍ଗରେ ନିର୍ବାଚନ ପାଇଁ ଆଜିଠୁ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଗେଡ କାଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ବିଶାଳ ଜନ ସମାବେଶ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆଗାମୀ ନିର୍ବାଚନରେ ପଶ୍ଚିମବଙ୍ଗରୁ ଟିଏମସି ସମ୍ପୂର୍ଣ୍ଣ ମୂଳପୋଛ ହୋଇଯିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ଚେକ୍ ଦେବା ପାଇଁ ମମତା ମଧ୍ୟ କୌଣସି ହେଳା କରିନାହାନ୍ତି । ମମତା ସିଲିଗୁଡିରେ ପଦଯାତ୍ରା କରିଛନ୍ତି । ଏଲପିଜି ଗ୍ୟାସ ସିଲିଣ୍ଡର ଓ ତୈଳଦର ବୃଦ୍ଧିକୁ ବିରୋଧ କରି ମହିଳାଙ୍କୁ ସାଙ୍ଗରେ ଧରି ମମତା ବାନାର୍ଜୀ ଏହି ରାଲି କରିଛନ୍ତି ।

କୋଲକାତାର ବ୍ରିଗେଡ୍‌ ଗ୍ରାଉଣ୍ଡରେ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରି, ମୁଖ୍ୟମନ୍ତ୍ରୀ ମମା ବାନାର୍ଜୀଙ୍କ ସମେତ, କଂଗ୍ରେସ ଏବଂ ବାମ ଦଳ ଉପରେ ପ୍ରବଳ ବର୍ଷିଛନ୍ତି । ଦିଦିଙ୍କୁ ଟାର୍ଗେଟ୍ କରି ମୋଦି କହିଛନ୍ତି, ‘ପରିବାରବାଦ ମୋହ ଛାଡିପାରୁ ନାହାନ୍ତି । ପଶ୍ଚିମବଙ୍ଗରେ ପରିବର୍ତ୍ତନ ପାଇଁ ଜନସାଧାରଣ ଦିଦିଙ୍କୁ ଭାରଷା କରିଥିଲେ । କିନ୍ତୁ ସେ ଏବଂ ତାଙ୍କ କ୍ୟାଡର୍‌ ଲୋକଙ୍କ ଭରଷାକୁ ଭାଙ୍ଗିଛନ୍ତି । ଏମାନେ ସମସ୍ତେ ବେଙ୍ଗଲ ଭଳି ପବିତ୍ର ରାଜ୍ୟର ଅପମାନ କରିଛନ୍ତି । ଲୋକସଭାରେ ଟିଏମସି ଅଧା ସଫା ହୋଇଛି ଏଥର ବିଧାନସଭା ନିର୍ବାଚନରେ ରାଜ୍ୟରୁ ପୁରାପୁରି ସଫା ହୋଇଯିବ ।’ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ପଶ୍ଚିମବଙ୍ଗରେ ମା-ଭଉଣୀଙ୍କ ଉପରେ ଅତ୍ୟାଚାର କରାଯାଉଛି । ଏଥର ନିର୍ବାଚନରେ ଟିଏମସି ଓ କଂଗ୍ରେସ-ବାମପନ୍ଥୀ ମେଣ୍ଟ ଗୋଟିଏ ପଟେ ଏବଂ ଅନ୍ୟପଟେ ବେଙ୍ଗଲର ଜନତା ଅଣ୍ଟା ଭିଡି ଛିଡା ହୋଇଯାଇଛନ୍ତି ।’
ମୋଦି ଆହୁରି ମଧ୍ୟ କହିଛନ୍ତି, ‘ପଶ୍ଚିମବଙ୍ଗର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ଚାଷୀଙ୍କ ଠାରୁ ଆରମ୍ଭ କରି ଉଦ୍ୟଗ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର​‌ରେ ବିକାଶ ହେବ । ବେଙ୍ଗଲ ପୋଲିସ ଉପରେ ଜନତାଙ୍କ ଭରଷା ଉଠିଯାଇଛି । ବିଜେପି ସରକାର ଆସିଲେ ପୋଲିସ ପ୍ରତି ଲୋକଙ୍କ ଭରଷାକୁ ଫେରଇଆଣାଯିବା ସହିତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିବ । ’

ପ୍ରଧାନମନ୍ତ୍ରୀଙ୍କ ମହା ସମାବେଶକୁ କାଉଣ୍ଟର କରିବା ପାଇଁ ମମତା ବାନାର୍ଜୀ ସିଲିଗୁଡିରେ ପଦଯାତ୍ରା କରିଛନ୍ତି । ଏଲପିଜି ଗ୍ୟାସ ସିଲିଣ୍ଡର ଓ ତୈଳଦର ବୃଦ୍ଧିକୁ ବିରୋଧ କରି ମହିଳାଙ୍କୁ ସାଙ୍ଗରେ ଧରି ମମତା ବାନାର୍ଜୀ ଏହି ରାଲି କରିଛନ୍ତି । ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ପଦ ଯାତ୍ରାରେ ବାହାରିଛନ୍ତି ଦିଦି । ତାଙ୍କ ସହ ହଜାର ହଜାର ସମର୍ଥକ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି । ଯାହା ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି । ଆଗକୁ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି-ତୃଣମୂଳ କଂଗ୍ରେସ ଭିତରେ ଶକ୍ତି ପ୍ରଦର୍ଶନ ଜାରି ରହିଛି ।

ବିଜେପିରେ ସାମିଲ ହେବାପରେ ମଞ୍ଚ ଉପରେ ଭାଷଣ ଦେବା ସମୟରେ ରଣ ହୁଂକାର ଦେଇଛନ୍ତି ମିଥୁନ । ବିରୋଧୀଙ୍କୁ ଟାର୍ଗେଟ୍‌ କରି ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, ‘ ମେଁ କୋବ୍ରା ହୁଁ, କୋଇ ହକ୍‌ ଛିନେଗା ତୋ ମେ ଖଡା ହୋ ଜାଉଙ୍ଗା ।’ ମିଥୁନଙ୍କର ଏହା କହିବାର ଅର୍ଥ ହେଉଛି, ‘ମୁଁ ହେଉଛି ନାଗ ସାପ, କେହି ହକ୍‌ ଛଡାଇନେବାକୁ ଚେଷ୍ଟା କଲେ ମୁଁ ଫଣା ଟେକି ଛିଡା ହୋଇଯିବି ।’
ବିଜେପିରେ ସାମିଲ ହେବା ପରେ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, ’୧୮ ବର୍ଷର ହୋଇଥିବା ବେଳେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲି । ଆଜି ସେହି ସ୍ବପ୍ନ ପୂରଣ ହେବା ଭଳି ଲାଗୁଛି । ଯଦି କେହି କାହାର ହକ୍‌ ଛଡାଇବାକୁ ଚେଷ୍ଟା କରନ୍ତି ତେବେ ତ ପରିଣତି ଭୟଙ୍କର ହେବ ।’