ଭୁବନେଶ୍ବର: ଗତ ୪ରୁ ୫ ମାସ ମଧ୍ୟରେ ବର୍ଷା ହୋଇ ନଥିବାରୁ ଚଳିତ ବର୍ଷ ରାଜ୍ୟର କେତେକ ସ୍ଥାନରେ ବନାଗ୍ନି ଦେଖାଯାଇଛି। ଏହାର ନିୟନ୍ତ୍ରଣ ଏବଂ ନିର୍ବାପନ ପାଇଁ ତତ୍କ୍ଷଣାତ୍ ସମନ୍ବିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ରାଜ୍ୟ ଲୋକସେବା ଭବନରୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ବନାଗ୍ନି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଓ ବନଖଣ୍ଡ ଅଧିକାରୀମାନଙ୍କ ସହ ବାସ୍ତବ ସ୍ଥିତି ଏବଂ ବନାଗ୍ନି ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଧାରିତ କାର୍ଯ୍ୟ ଧାରା (ଏସ୍ଓପି)ର କାର୍ଯ୍ୟାନ୍ବୟନ ସମୀକ୍ଷା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା ବନାଗ୍ନି ପାଇଁ ଏସ୍ଓପିର କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ଆର୍ଥିକ, ବୈଷୟିକ ଓ ପ୍ରଶାସନିକ ବ୍ୟବସ୍ଥା ବାବଦରେ ସବିଶେଷ ସୂଚନା ଦେଇଥିଲେ।
ବନାଗ୍ନି ନିୟନ୍ତ୍ରଣ ନିର୍ବାପନରେ ଓଡ୍ରାଫ୍, ଅଗ୍ନିଶମ ସେବା ସଂସ୍ଥା ୟୁନିଟ, ଜଙ୍ଗଲ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ୨୪ ଘଣ୍ଟିଆ କାମ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏହି କାମରେ ବନ ସଂରକ୍ଷଣ ସମିତି, ପଂଚାୟତି ରାଜ ଅନୁଷ୍ଠାନ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ, ଇକୋ-କ୍ଲବ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସକ୍ରିୟଭାବେ ସାମିଲ କରିବା ପାଇଁ ଉନ୍ନୟନ କମିସନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ।
ଜଙ୍ଗଲ ଅଂଚଳରେ ୨୪ ଘଣ୍ଟିଆ ପେଟ୍ରୋଲିଂ ଜାରି ରଖିବା ସହ ଅନ୍ଲାଇନ୍ ସତର୍କ ସୂଚନାର ପ୍ରୟୋଗ କରି ନିଆଁ ଏବଂ ଧୂଆଁ ଆଦି ସ୍ଥାନର ଚିହ୍ନଟ ସହ ତତ୍କ୍ଷଣାତ୍ ପଦକ୍ଷେପ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଥିବା ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ ପ୍ରତିଦିନ ବନାଗ୍ନି ସ୍ଥିତିର ସମୀକ୍ଷା କରିବେ। ସେଥି ପାଇଁ ଜିଲ୍ଲା ଓ ବନଖଣ୍ଡ ସ୍ତରରେ ଅଧିକ ସ୍କ୍ବାର୍ଡ ଗଠନ କରି ସ୍ଥିତିର ନିୟନ୍ତ୍ରଣ ଓ ପରିଚାଳନା କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ନିଆଁ ଲିଭାଇବା ସହ ସମ୍ଭାବ୍ୟ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖିବାକ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଥିଲେ।