Odia News Portal

୨୬ରେ ଚାଷୀଙ୍କ ଭାରତ ବନ୍ଦ

ନୂଆଦିଲ୍ଲୀ: ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାରଙ୍କ ଅଣଦେଖା କରିବା ପରେ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ । ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ବନ୍ଦ ପାଳନ କରିବାକୁ ଚାଷୀ ଆହ୍ୱାନ ଦେଇଛନ୍ତି। ୪ମାସ ହେଲାଣି ହକ୍ ପାଇଁ ରାଜରାସ୍ତାରେ ବସିଛନ୍ତି ଚାଷୀ ।

ଅନ୍ୟପଟେ ଆନ୍ଦୋଳନସ୍ଥଳରେ ଖରା ବଢ଼ୁଥିବା ଯୋଗୁ ସିଂଘୁ ବର୍ଡରରେ ପିଚୁ ରାସ୍ତା ଉପରେ ଚାଷୀମାନେ ପକ୍କା ଘର ନିର୍ମାଣ କରୁଥିବା ଦେଖଯାଇଛି। ଗତକାଲି ସିଂଘୁ ସୀମାରେ କୃଷକ ସଂଗଠନର ବୈଠକ ପରେ ୨୬ ତାରିଖରେ ଭାରତ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ଆସନ୍ତା ୧୭ ତାରିଖରେ ଟ୍ରାନ୍ସପୋର୍ଟ ସଂଗଠନ ସହ ଚାଷୀ ବୈଠକ କରିବେ।

ଏହାବ୍ୟତୀତ ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ମଧ୍ୟ ଚାଷୀ ରେଳଧାରଣା ଜାମ କରିବେ। ଆସନ୍ତା ୧୫ ତାରିଖରେ ରେଳ ଧାରଣା ଉପରେ ଦେଶବ୍ୟାପୀ ଧାରଣା ଦିଆଯିବ ବୋଲି ଚାଷୀମାନେ ଆହ୍ୱାନ ଦେଇଛନ୍ତି । ସେହିପରି ୨୩ ତାରିଖରେ ଆନ୍ଦୋଳନସ୍ଥଳରେ ସହିଦ ଭଗତ ସିଂ, ରାଜଗୁରୁଙ୍କ ସହିଦ ଦିବସ ପାଳନ କରାଯିବା ସହ ୨୮ ମାର୍ଚ୍ଚ ହୋଲିରେ ୩ କୃଷି ଆଇନ କପି ଜାଳିବାକୁ ନିଷ୍ପତ୍ତି ହୋଇଛି।