Odia News Portal

ସଂପୂର୍ଣ୍ଣ ନିୟନ୍ତ୍ରଣ ମୁହାଁ ଜଙ୍ଗଲ ନିଆଁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକୀକୃତ ତଥା ସକ୍ରିୟ ଆଭିମୁଖ୍ୟ ଯୋଗୁଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଂଚଳ ସହ ସମଗ୍ର ରାଜ୍ୟରେ ବନାଗ୍ନିକୁ ପ୍ରାୟତଃ ଆୟତ୍ତ କରାଯାଇପାରିଛି। ମୋଟାମୋଟି ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି।

ତେବେ ରାଜ୍ୟରେ ଫାୟାର ପଏଣ୍ଟ ସଂଖ୍ୟା ବଢ଼ିଥିବା କଥା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି। ଭାରତୀୟ ବନ ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟାନୁସାରେ ଗତକାଲିର ୪୯୭ଟି ବନାଗ୍ନି ପଏଣ୍ଟ ସ୍ଥାନରେ ସମଗ୍ର ରାଜ୍ୟରେ ଆଜି ୧୦୪୮ସାଟେଲାଇଟ୍‌ ଆଧାରିତ ବନାଗ୍ନି ପଏଣ୍ଟ ଚିହ୍ନଟ କରାହୋଇଛି ଏବଂ ଗତ ଦୁଇ ଦିନରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଂଚଳ ମଧ୍ୟରେ ୨୬ ଓ ୨୪ ବନାଗ୍ନି ପଏଣ୍ଟ ତୁଳନାରେ କେବଳ ୫ଟି ବନାଗ୍ନି ପଏଣ୍ଟ ରିପୋର୍ଟ ହୋଇଅଛି। ଆହୁରି ମଧ୍ୟ ଶିମିଳିପାଳର କିଛି ଅଂଶରେ ଗତକାଲି ବର୍ଷା ଫଳରେ ଅଗ୍ନି ବିସ୍ତାରକୁ ସମ୍ଭବତଃ ରୋକିବା ସହଜ ହୋଇଛି। ଭୁବନେଶ୍ୱରର ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ୩ ଦିନରେ ରାଜ୍ୟର ଅଧିକାଂଶ ଅଂଚଳରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି, ଯାହା ଜଙ୍ଗଲ ଅଗ୍ନି ହ୍ରାସ ପାଇଁ ସକରାତ୍ମକ ହେବ।

ଯଦିଓ ଅଗ୍ନିସ୍ଥିତି ନିୟନ୍ତ୍ରଣରେ ଅଛି, ତଥାପି ଜଙ୍ଗଲର ଅଗ୍ନିଋତୁ ବାକି ଥିବାରୁ ଅଗ୍ନିକାଣ୍ଡର ପୁନରାବୃତ୍ତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସତର୍କ ରହିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ଜଙ୍ଗଲ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ଟାସ୍କଫୋର୍ସର ଅଧ୍ୟକ୍ଷ ଗତକାଲି ସବିଶେଷ ସମୀକ୍ଷା କରିଥିଲେ।

ନିଆଁକୁ ଆୟତ୍ତ କରିବା ପାଇଁ ଅଧିକ ଫାୟାର ଓ୍ଵାଚର୍‌ଙ୍କ ଯୋଗଦାନ, ଦ୍ୱିଗୁଣିତ ପରିମାଣର ଲିଫ୍‌ ବ୍ଲୋୟର‌ ବ୍ୟବହାର, ଗ୍ରାମବାସୀଙ୍କ ଯୋଗଦାନ ଏବଂ ଏକତ୍ରୀକରଣ ସହିତ କ୍ଷେତ୍ର କର୍ମଚାରୀଙ୍କ ଦିନରାତି ଉଦ୍ୟମ ନିଆଁକୁ ଆୟତ୍ତ କରିବାରେ ସାହାଯ୍ୟ କରୁଛି। ଅଧିକନ୍ତୁ ଆଗରୁ ନିୟୋଜିତ ଥିବା ୪ଟି ଓଡ୍ରାଫ୍‌ ଦଳ ସ୍ଥାନରେ ବର୍ତ୍ତମାନ ୨୫ ଜଣ ସଦସ୍ୟ ବିଶିଷ୍ଟ ୮ଟି ଓଡ୍ରାଫ ଦଳ ନିୟୋଜିତ ହୋଇଛନ୍ତି। ପଞ୍ଚାୟତ, ଏସ୍‌ଏଚ୍‌ଜି ଏବଂ ଜିଲ୍ଲା ପ୍ରଶାସନର ସକ୍ରିୟ ସମର୍ଥନ ଅଧିକ ଲାଭାନ୍ଵିତ କରିଛି।

ସେପଟେ ଗତକାଲି ପରି ଆଜି ମଧ୍ୟ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଉଦଳା, କପ୍ତିପଦା, ନୀଳଗିରି ବ୍ଲକ ଅଞ୍ଚଳର କିଛି ଜାଗାରେ ଝିପି ଝିପି ବର୍ଷା ହୋଇଛି। ଆସନ୍ତା ଦିନରେ ବର୍ଷା ଲାଗି ରହିଲେ ଶିମିଳିପାଳ ପାଇଁ ଶୁଭଙ୍କର ହେବ ବୋଲି କହିଛନ୍ତି ଅତିରିକ୍ତ ଜଙ୍ଗଲ ସଚିବ  ମୋନା ଶର୍ମା। ଗତକାଲି ମୋନା ଶର୍ମା ବାରିପଦାରେ ପହଞ୍ଚି ମୟୂରଭଞ୍ଜ ଜିଲ୍ଲାପାଲ ,ଏସ୍‌ପି, ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ, ଉପନିର୍ଦ୍ଦେଶକଙ୍କ ସହ ଶିମିଳିପାଳର ସ୍ଥିତି ନେଇ ଆଲୋଚନା କରିଛନ୍ତି।