କୋଲକାତା: ଆହତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଡିକାଲରୁ ଟିଏମସି ସମର୍ଥକଙ୍କ ଲାଗି ଦେଇଛନ୍ତି ଭିଡିଓ ବାର୍ତ୍ତା । ଯେଉଁଥିରେ ମମତା କହିଛନ୍ତି- ବୁଧବାର ହୋଇଥିବା ଆକ୍ରମଣ ଯୋଗୁ ସେ ଗୁରୁତର ଭାବେ ଆଘାତ ହୋଇଛନ୍ତି । ହାତ ଓ ଗୋଡ଼ରେ ଭୀଷଣ ଦରଜ ହେଉଥିବା କହିଛନ୍ତି ମମତା । ଆହୁରି କହିଛନ୍ତି କିଛି ଦିନ ମଧ୍ୟରେ ମେଡିକାଲରୁ ଡିସଚାର୍ଜ ହୋଇ ଆସିବେ ଏବଂ ହ୍ୱିଲ୍ ଚେୟାରରେ ପ୍ରଚାର କରିବେ ।
ଏଥିସହ ମମତା ଟିଏମସି ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବା ଲାଗି ନିବେଦନ କରିଛନ୍ତି । ଆଶା କରୁଛି ମୁଁ ଖୁବଶୀଘ୍ର ମେଡିକାଲରୁ ବାହାରକୁ ଆସିବି । ମମତା କହିଛନ୍ତି- ମୋ ପାଦକୁ କଷ୍ଟ ହେଲେ ବି ହ୍ୱିଲ୍ ଚେୟାରରେ ପ୍ରଚାର କରିବି । ଅନ୍ୟପଟେ ମମତା ସ୍ୱାସ୍ଥ୍ୟ ନେଇ ଏସଏସକେଏମ୍ ହସ୍ପିଟାଲ କର୍ତ୍ତୃପକ୍ଷ ହେଲଥ ବୁଲେଟିନ୍ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ମମତାଙ୍କ ବାମ ପାଦରେ ଆଘାତ ଲାଗିଛି । ଯାହାପରେ ମମତାଙ୍କ ଏମଆରଆଇ ସ୍କାନ୍ କରାଯାଇଛି ।ତେବେ ବର୍ତ୍ତମାନ ମମତା ବାନାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ଆରାମ ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି । ହସ୍ପିଟାଲର ୬ ଜଣିଆ ଡାକ୍ତରୀ ଦଳ ମମତା ବାନାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ମାମଲା ରୁଜୁ କରିଛି ପୁଲିସ । ଏପଟେ ଆଜି ତୃଣମୂଳ କଂଗ୍ରେସ କର୍ମୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛନ୍ତି । ରାଜନୈତିକ ଆକ୍ରୋଶ ରଖି ମମତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଟିଏମସି ଦାବି କରିଛି । ଅନ୍ୟପଟେ ବିଜେପିକର୍ମୀ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପୁରା ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ବିଜେପି କର୍ମୀ ମମତାଙ୍କ ଉପରେ ଆକ୍ରମଣ ଘଟଣାକୁ ସନ୍ଦେହପୂର୍ଣ୍ଣ କହିବା ସହ ଭୋଟରଙ୍କ ସହାନୁଭୁତି ଗୋଟାଇବାକୁ ଏହା ସୁଚିନ୍ତିତ ରଣନୀତି ହୋଇଥାଇ ପାରେ ବୋଲି କହିଛନ୍ତି ।
ସେପଟେ, ମମତା ବାନାର୍ଜୀଙ୍କ ଉପରେ ନନ୍ଦିଗ୍ରାମରେ ଆକ୍ରମଣ ହୋଇଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଘଟଣାର ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ କମିସନ । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ । ଗତକାଲି ନିର୍ବାଚନ ପ୍ରଚାର ସମୟରେ ନନ୍ଦିଗ୍ରାମର ବିରୁଲିଆ ବଜାର ନିକଟରେ କିଛି ବ୍ୟକ୍ତି ତାଙ୍କୁ ଧକ୍କା ଦେଇ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ମମତା । ଏଥିରେ ମମତାଙ୍କ ଗୋଡରେ ଆହତ ଲାଗିଥିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।