Odia News Portal

ହୁଇଲଚେୟାରରେ ମମତାଙ୍କ ପ୍ରଚାର

କୋଲକାତା: ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ହୁଇଲଚେୟାରରେ ବସି ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଥା ଦେଇଥିଲେ ଯେ, କେହି ତାଙ୍କୁ ନିର୍ବାଚନ ପ୍ରଚାର କରିବାରୁ ରୋକିପାରିବେ ନାହିଁ। ହୁଇଲଚେୟାରରେ ବସି ମଧ୍ୟ ସେ ନିର୍ବାଚନ ପ୍ରଚାର କରିବେ। ଆଜି ସେ ନିଜ କଥା ରଖିବା ସହ ହୁଇଲଚେୟାରରେ ରାସ୍ତାକୁ ଓହ୍ଲାଇଛନ୍ତି।

ରାଲିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ମୁଁ ଆଘାତ ପାଇଛି ଏବଂ ଅସୁସ୍ଥ ଅଛି, କିନ୍ତୁ ମୋର ଲକ୍ଷ୍ୟ ସ୍ଥିର ରହିଛି। ମୋ ଦେହରେ ଆଘାତ ଲାଗିଥିଲେ ମଧ୍ୟ ମୁଁ ଏହି ହୁଇଲଚେୟାରରେ ପଶ୍ଚିମବଙ୍ଗ ବୁଲିବା ଜାରି ରଖିବି। ଯଦି ମୁଁ ଶଯ୍ୟାରେ ବିଶ୍ରାମ ନେବି, ତେବେ ପଶ୍ଚିମବଙ୍ଗବାସୀଙ୍କ ନିକଟରେ କିଏ ପହଞ୍ଚିବ? ମୁଁ କେବେ କି ନଇଁବି ନାହିଁ। ମନେ ରଖ, ଜଣେ ଆଘାତ ପାଇଥିବା ବାଘୁଣୀ ବହୁତ ବିପଦଜନକ ହୋଇଥାଏ।

ତେବେ ଆଜି ଟିଏମସି ନିଜର ଇସ୍ତାହାର ଉନ୍ମୋଚନ ନେଇ ଘୋଷଣା କରିଥିଲେ ମଧ୍ୟ ଏହାକୁ ସ୍ଥଗିତ ରଖିଛି। ଏହା ସହ ଇସ୍ତାହାର ଉନ୍ମୋଚନ ସ୍ଥଗିତ ରଖାଯିବାର ପ୍ରକୃତ କାରଣ ଦଳ ସ୍ପଷ୍ଟ କରିନାହିଁ। ଏ ମଧ୍ୟରେ ବିଜେପି ନିଜ ୨୭ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୭ଜଣ ପ୍ରାର୍ଥୀ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ ୩୮ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଏବଂ ପୂର୍ବତନ ଟିଏମସି ନେତା ରାଜୀବ ବାନାର୍ଜୀଙ୍କ ନାମ ରହିଛି।