Odia News Portal

ମମତା ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ

କୋଲକାତା ୧୪/୦୩ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର ବେଳେ ଆହତ ହେବା ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ । ଦିଦି ଆହତ ହେବା ପରେ ପଶ୍ଚିମବଙ୍ଗରେ ରାଜନୈତିକ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଟିଏମ୍‌ସି ନେତାମାନେ ନିର୍ବାଚନ ଆୟୋଗଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ।

ତେବେ ଘଟଣାକୁ ନେଇ ନିର୍ବାଚନ ଆୟୋଗ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ଏହା ସହିତ ନନ୍ଦୀଗ୍ରାମରେ ମମତା ବାନାର୍ଜୀଙ୍କ ଆହତ ଘଟଣାକୁ ନେଇ ଦାୟିତ୍ବରେ ଅବହେଳା ଦର୍ଶାଇ ମମତାଙ୍କ ସିକ୍ୟୁରିଟି ଡାଇରେକ୍ଟରଙ୍କୁ ପଦରୁ ହଟାଇଦିଆଯାଇଛି । ଏହା ସହିତ ମେଦିନିପୁର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜିଲ୍ଲାପାଳ ବିଭୁ ଗୋୟଲଙ୍କୁ ନିଲମ୍ବନ କରାଯାଇଛି ଏବଂ ତାଙ୍କ ସ୍ଥାନ​‌ରେ ମେଦିନିପୁର ଜିଲ୍ଲାପାଳ ଭାବେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ସ୍ମିତା ପାଣ୍ଡେଙ୍କୁ ଦାୟିତ୍ବ ଦିଆଯାଇଛି ।

ଏହା ସହିତ ମମତା ବାନାର୍ଜୀଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦର୍ଶାଇ ଇଷ୍ଟ୍‌ ମେଦିନିପୁର ଏସ୍‌ପି ପ୍ରବୀଣ ପ୍ରକାଶଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି । ପ୍ରବୀଣଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍‌ର ଆଇପିଏସ ସୁନୀଲ ଯାଦବଙ୍କୁ ଏସ୍‌ପି ଭାବେ ଦାୟିତ୍ବ ଦିଆଯାଇଛି ।

ସିଏମ୍ ମମତାଙ୍କ ସହ ଘଟଣାରେ ପ୍ରଶାସନର ଅବହେଳା, ନିରାପତ୍ତା ବ୍ୟବସ୍ଥା ତଥା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପରେ ନିର୍ବାଚନ ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହା ସହିତ ନିର୍ବାଚନ ଆୟୋଗ କହିଛନ୍ତି, ଭବିଷ୍ୟତରେ ନିର୍ବାଚନ ସମୟରେ ଯଦି ଏପରି ଘଟଣା ଘଟେ, ତେବେ ତୁରନ୍ତ ସେହି ଜିଲ୍ଲାର ଡିଏମ୍ ଏବଂ ଏସପିଙ୍କୁ ଦାୟିତ୍ବରୁ ହଟାଯିବ ।