Odia News Portal

ପୁଅଙ୍କ ରାଜନୈତିକ ଭବିଷ୍ୟତ ପାଇଁ ବାପା ଚିନ୍ତାରେ …

ଭୁବନେଶ୍ବର (): ଗୋଟେପଟେ ଝାରସୁଗୁଡା ବିଧାୟକ ନବ ଦାସ ବିଜେଡିକୁ ଆସିବାକୁ ସଜବାଜ ହେଉଛନ୍ତି, ଅନ୍ୟପଟେ ଦଳର କିଛି ବରିଷ୍ଠ ନେତା ନିଜ ପୁଅମାନଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଚିନ୍ତିତ ହୋଇପଡିଛନ୍ତି । କାରଣ ଚର୍ଚ୍ଚା ହେଉଛି ନବ ଦାସ ବିଜେଡିକୁ ଆସିବାଲାଗି ନିଜ ପାଇଁ ଓ ନିଜ ପୁଅପାଇଁ ଟିକଟ ପକ୍କା କରିଛନ୍ତି । ଯଦି ଏମିତି ହୋଇଥାଏ, ତେବେ ବିଜେଡିରେ ନିଜ ନିଜ ପୁଅପାଇଁ ଲବି କରୁଥିବା ମନ୍ତ୍ରୀ, ବିଧାୟକ ବାପମାନେ ମଧ୍ୟ ଚାପ ପ୍ରୟୋଗ କରିବାକୁ ଯୋଜନା କରିବା ସ୍ବାଭାବିକ ।

ନିଜ ନିଜ ପୁଅଙ୍କୁ ଦଳୀୟ ଟିକଟ ଦେବାପାଇଁ ବିଜେଡିରେ ସର୍ବାଧିକ ଆଗ୍ରହୀ । ଏ କ୍ଷେତ୍ରରେ ଭଦ୍ରକ ଜିଲ୍ଲା ସବୁଠାରୁ ଆଗରେ ରହିଛି । ମନ୍ତ୍ରୀ ପ୍ରଫୁଲ ସାମଲ, ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ବିଧାୟକ ଯୁଗଳ ପଟ୍ଟନାୟକ ନିଜ ନିଜ ପୁଅଙ୍କୁ ଟିକଟ ଦେବାପାଇଁ ଦୀର୍ଘ ଦିନରୁ ଲବି ଚଳାଇଛନ୍ତି । ସେହିଭଳି କେନ୍ଦ୍ରାପଡାରୁ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲା, ଜଗତ୍‍ସିଂହପୁରର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ, ପୁରୀରୁ ମନ୍ତ୍ରୀ ମହେଶ୍ୱର ମହାନ୍ତି, କଟକରୁ ବିଧାୟକ ପ୍ରଭାତ ତ୍ରିପାଠୀ, ବଲାଙ୍ଗିରରୁ ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ପ୍ରମୁଖ ନିଜ ନିଜ ପୁଅଙ୍କୁ ରାଜନୀତିରେ ଥଇଥାନ ଲାଗି ବିଜେଡିରେ ଜୋରଦାର ଲବି କରୁଛନ୍ତି । ଇତି ମଧ୍ୟରେ ବଡଚଣା ବିଧାୟକ ଅମର ଶତପଥୀ ନିଜ ପୁଅକୁ ମଇଦାନରେ ଓହ୍ଲାଇଛନ୍ତି । ହେଲେ ଜଣକୁ ଗୋଟିଏ ଟିକଟ ନ୍ୟାୟରେ ଏମାନେ ମୁହଁମାଡି ରହିଛନ୍ତି ।

ଯଦି ନବ ଦାସ ରାତାରାତି କଂଗ୍ରେସରୁ ଆସି ଦୁଇଟି ଟିକଟ ହାତେଇ ନେବେ ତେବେ ଏହି ନେତାମାନେ ଆଉ ଚୁପ୍‍ ହୋଇ ରହିବେନାହିଁ । କାରଣ ସେମାନେ ଦଳ ପାଇଁ ଖଟୁଥିବାବେଳେ ବିଭିନ୍ନ ଜିଲ୍ଲାରେ ସେମାନଙ୍କ ପୁଅମାନେ ବିଜେଡି ସଂଗଠନର ମଙ୍ଗ ଧରିଛନ୍ତି । କେବଳ ନବ ଦାସ ନୁହନ୍ତି ବିଜେଡିକୁ ଆଉ କିଛି ନେତା ଆସିବେ ବୋଲି ବଜେଡି ସୂଚନା ଦେବାପରେ ଏହି ତାଲିକାରେ ଜଣେ ଦୁଇଜଣ ବିଧାୟକ ଓ ଜଣେ ବରିଷ୍ଠ ବିଧାୟକଙ୍କ ପୁତ୍ର ରହିଥିବା କୁହାଯାଉଛି । ଯଦି ଏମାନେ ବିଜେଡିକୁ ଆସି ରାତାରାତି ଦଳୀୟ ଟିକଟ ହାତେଇନେବେ ତେବେ ସେହି ନିର୍ବାଚନମଣ୍ଡଳୀରେ ବିଜେଡି ସଂଗଠନକୁ ଜାବୁଡି ଧରିଥିବା ନେତାମାନେ କଣ କରିବେ ସେନେଇ ପ୍ରମାଦ ଗଣିଲେଣି ।

କେବଳ ବିଜେଡିରେ ପୁଅ ଚିନ୍ତା ନୁହେଁ ବିଜେପି ଓ କଂଗ୍ରେସର ବହୁ ନେତାଙ୍କୁ ମଧ୍ୟ ପୁଅମାନଙ୍କ ଚିନ୍ତା ଘାରିଛି । କିଭଳି ନିଜ ନିଜ ପୁଅଙ୍କୁ ୨୦୧୯ରେ ବିଧାୟକ କିମ୍ବା ସାଂସଦ କରିବେ ସେଥିପାଇଁ ଲାଗି ପଡିଛନ୍ତି । ତେଣୁ ଏମାନଙ୍କ ମଧ୍ୟରୁ କେତେକ ଶାସକ ବିଜେଡି ସହିତ ଯୋଗାଯୋଗରେ ଥିବା ଚର୍ଚ୍ଚା ହେବାପରେ ବିଜେଡିର ଆଶାୟୀ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।