ଭୁବନେଶ୍ୱର: ବିଶ୍ୱ କପ୍ର ଆଜି ତୃତୀୟ ମ୍ୟାଚ୍ରେ ପାକିସ୍ତାନକୁ ଶୋଚନୀୟ ଭାବେ ୫-୦ ଗୋଲ୍ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛି ବେଲଜିୟମ ଦଳ । ଟୁର୍ଣ୍ଣାମେଣ୍ଟ ସାରା ଅତ୍ୟନ୍ତ ଖରାପ ପ୍ରଦର୍ଶନ କରି ବିଦାୟ ନେଇଛି ପାକିସ୍ତାନ ଦଳ । କ୍ୱାର୍ଟରଫାଇନାଲ୍ରେ ବେଲଜିୟମ୍ ଦଳ ଜର୍ମାନୀକୁ ଭେଟିବ ।
ଆଜିର ଏହି ପ୍ରଥମ ମ୍ୟାଚ୍ରେ ଆରମ୍ଭରୁ ଶେଷ ଯାଏ ବେଲଜିୟମ ପ୍ରଭାବ ବିସ୍ତାର କରି ଖେଳିବା ସହ ୫ଟି ଗୋଲ୍ ଦେଇଥିଲେ । ମଧ୍ୟାନ୍ତର ପୂର୍ବରୁ ୧୦ ଓ ୧୩ ମିନିଟ୍ରେ ଆଲେକଜାଣ୍ଡାର ହେଣ୍ଡରିକ୍ସ ଏବଂ ଥୋମାସ୍ ବ୍ରାଏଲ୍ସ ଗୋଲ୍ ସ୍କୋର କରିଥିଲେ । ପୁଣି ୨୭ ମିନିଟ୍ରେ ସେଡ୍ରିକ୍ ଚାର୍ଲିୟରଙ୍କ ଗୋଲ୍ ବଳରେ ବିରତି ବେଳକୁ ବେଲଜିୟମ ୩-୦ରେ ଆଗୁଆ ଥିଲା । ପରେ ୩୫ ମିନିଟ୍ରେ ସେବାଷ୍ଟିଆନ ଡକିୟର ଏବଂ ୫୩ ମିନିଟ୍ରେ ଟମ୍ ବୁନ୍ ପରବର୍ତ୍ତୀ ଦୁଇଟି ଗୋଲ୍ ସ୍କୋର କରି ବେଲଜିୟମକୁ ବଢ଼ିଆ ବିଜୟ ଆଣି ଦେଇଥିଲେ । ସାଇମନ୍ ଗଗନର୍ଡ଼ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଅନ୍ୟପକ୍ଷରେ ପାକିସ୍ତାନ କିଛି ଭଲ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ତାକୁ ଗୋଲ୍ରେ ପରିଣତ କରି ପାରିନଥିଲା ।