ଭୁବନେଶ୍ବର : ରାଜ୍ୟ କଂଗ୍ରେସ ଛାଡିବାକୁ ସଜବାଜ ହେଉଥିବା ଦଳଡିଆଁମାନେ ଏବେ ଚିନ୍ତାରେ । ଗତକାଲି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବାପରେ ସେମାନଙ୍କର ଏଭଳି ଅବସ୍ଥା । ଏବେ କଂଗ୍ରେସରୁ ଅନ୍ୟ ଦଳକୁ ଡେଇଁବେ କି ନାହିଁ ସେହି ଚିନ୍ତାରେ ଅଛନ୍ତି ।
ଗତ କିଛିଦିନ ଧରି କଂଗ୍ରେସର ବିଧାୟକ ନବ ଦାସ, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା, ଯୋଗେଶ ସିଂହ ଆଦି କଂଗ୍ରେସ ଛାଡି ବିଜେଡିରେ ମିଶିବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି । ଚର୍ଚ୍ଚାର ସବୁଠାରୁ ଆଗରେ ଥିବା ଝାରସୁଗୁଡା ବିଧାୟକ ନବ ଦାସ । ହେଲେ ନବଙ୍କ ଦଳଡିଆଁ ସର୍ତ୍ତ ନେଇ ବିଜେଡି ନେତାମାନେ ସୂଚନା ପାଇଲାପରେ ଦଳରେ ଅସନ୍ତୋଷ ବଢିବାରେ ଲାଗିଛି । ନବ ନିଜପାଇଁ ବ୍ରଜରାଜନଗର ଓ ପୁଅ ପାଇଁ ଝାରସୁଗୁଡା ବିଧାନସଭାର ବିଜେଡି ଟିକଟ ହାତେଇବେ ବୋଲି ଜଣାପଡିବାପରେ ନିଜ ନିଜ ପୁଅ ପାଇଁ ଟିକଟ ମାଗି ନାସ୍ତିବାଣି ଶୁଣିଥିବା ବିଧାୟକ ଓ ମନ୍ତ୍ରୀ ବାପମାନେ ଏକଜୁଟ ହେବାରେ ଲାଗିଛନ୍ତି । ଅନ୍ୟ କଂଗ୍ରେସ ବିଧାୟକ ମାନେ ବି କେତେକ ସର୍ତ୍ତ ରଖି ବିଜେଡିକୁ ଡେଇଁବାପାଇଁ ସଜବାଜ ହେଉଥିଲେ ।
ହେଲେ ଏବେ କଂଗ୍ରେସ ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ସଂଖ୍ୟାଗରିଷ୍ଠ ଭାବେ ନିର୍ବାଚନ ଜିଣିବାପରେ ଏବେ କଂଗ୍ରେସୀ ବିଧାୟକମାନଙ୍କର ରକ୍ତଚାପ ବଢିବାରେ ଲାଗିଛି । ସେମାନେ ଏବେ ଦଳ ଛାଡିଲେ କେଉଁ ପରିସ୍ଥିତିରେ ପଡିବେ ତାହାର ହିସାବ କରୁଛନ୍ତି । କାରଣ ଯେଉଁସବୁ ରାଜ୍ୟରେ କଂଗ୍ରେସ ଜିଣିଛି ସେଠାରେ ରାଜ୍ୟ ସରକାର ବିରୋଧି ହାୱାକୁ ଧରି ସଫଳତା ପାଇଛି । ଏଠାରେ ଯଦି କଂଗ୍ରେସ ସେହି ରଣନୀତି ଆପଣେଇବ ତେବେ କଂଗ୍ରେସ ଛାଡିଥିବା ନେତାମାନେ ଆଉ ସହଜରେ ବିଧାନସଭାକୁ ଆସିପାରିବେ ନାହିଁ । କେବଳ ସେତିକି ନୁହେଁ ରାଜ୍ୟ କଂଗ୍ରେସରେ ଏବେ ଯେଉଁ ଉତ୍ସାହ ଉଦ୍ଦିପନା ଦେଖାଦେଇଛି ଓ କେନ୍ଦ୍ରୀୟ କଂଗ୍ରେସ ନେତାମାନେ ଓଡିଶାକୁ ଫୋକସ୍ କରିବାକୁ ଯାଉଛନ୍ତି ସେଭଳି ସ୍ଥିତିରେ କଂଗ୍ରେସ ଛାଡିବା ବୁଦ୍ଧିମାନର କାର୍ଯ୍ୟ ହେବନାହିଁ ବୋଲି କେତେକ ଖୋଲାଖୋଲି କହିଲେଣି ।
ଏଣେ କଂଗ୍ରେସ ଦଳରେ ବିଭାଜନ ଘଟାଇ ତାହାକୁ ଦୁର୍ବଳ କରିବାପାଇଁ ବିଜେଡିର ଯେଉଁ ନେତାମାନେ ରଣନୀତି ପ୍ରସ୍ତୁତ କରିଥିଲେ ସେମାନେ ବି ଏବେ ଚିନ୍ତାରେ । କାରଣ ଯଦି ଏହି କଂଗ୍ରେସ ନେତାମାନେ ଦଳ ନଛାଡନ୍ତି ତେବେ ସେମାନଙ୍କର ପତିଆରା ହ୍ରାସ ହେବ । ସେହିଭଳି ଅନ୍ୟ ଦଳରକୁ କେତେକ ଦଳଡିଆଁ ବିଜେପିକୁ ଯିବାପାଇଁ ଯେଭଳି ପ୍ରସ୍ତୁତି ଚଳାଇଥିବାବେଳେ ସେମାନେ ବି ଏବେ ଚିନ୍ତାରେ ପଡିଛନ୍ତି । ଦେଶର ପ୍ରମୁଖ ରାଜ୍ୟରେ ବିଜେପି ଯେଭଳି ପରାଜୟବରଣ କରିଛି ଓ କଂଗ୍ରେସ ଆଗକୁ ଆଗକୁ ମାଡି ଚାଲିଛି ସେଭଳି ସ୍ଥିତିରେ ସେମାନେ ବି କଣ କରିବେ ଜାଣିପାରୁ ନାହାନ୍ତି । ମୋଟାମୋଟି ଭାବେ ଚଳିତ ମାସରେ ଯେଉଁ ଗଣମିଶ୍ରଣ ପର୍ବର ବଡ ଆୟୋଜନ ପାଇଁ ରାଜ୍ୟର ଦୁଇ ପ୍ରମୁକ ଦଳ ବିଜେଡି ଓ ବିଜେପି ସଜବାଜ ହେଉଥିଲେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ସେଥିରେ ଏକ ପ୍ରକାର ପାଣି ପୂରାଇ ଦେଇଛି ।