ଭୁବନେଶ୍ୱର: ଚାଷୀ ଆକ୍ରୋଶରୁ ହିନ୍ଦୀ ହାର୍ଟଲ୍ୟାଣ୍ଡର ୩ ରାଜ୍ୟରେ କ୍ଷମତାସୀନ ସରକାର ଗାଦିରୁ ଯିବା ପରେ ଓଡ଼ିଶାରେ ତା’ର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଚାଷୀ ଭୋଟ୍ ବ୍ୟାଙ୍କକୁ ନିଜ ସପକ୍ଷରେ ନେବାକୁ ଗୋଟି ଚାଳନା ଆରମ୍ଭ କରିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ। ବିଜେପି ଓ କଂଗ୍ରେସ କ୍ଷମତାକୁ ଆସିଲେ ଋଣ ଛାଡ଼ କରିବା ପାଇଁ ଘୋଷଣା କରିଥିବା ବେଳେ ବିଜେଡି କୃଷକ ସାମ୍ମୁଖ୍ୟର ପୁନର୍ଗଠନ କରି ବିଜୁ କୃଷକ ଜନତା ଦଳ ଗଠନ କରିଛନ୍ତି।ମଣ୍ଡିରେ ପଡ଼ି ରହିଛି ଶହ ଶହ ଧାନବସ୍ତା। କଟ୍ନୀ-ଛଟ୍ନୀ ବିବାଦକୁ ନେଇ ଦିନ ଦିନ ଧରି ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଧାନ ବିକ୍ରି ହୋଇପାରୁ ନାହିଁ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ମଧ୍ୟ ଧାନ ବିକ୍ରି ସମସ୍ୟା ରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ।ଅନ୍ୟପକ୍ଷରେ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ଚଳାଇଛି ଆନ୍ଦୋଳନ। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ତାଙ୍କର ୧୩ ଦିନିଆ ଅନଶନ ଭାଙ୍ଗିବା ପରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ଯାଉଥିଲେ। ତେବେ ପୁଲିସ ସେମାନଙ୍କୁ ବାଟରେ ଅଟକାଇ ଥିଲା। ସେପଟେ ଦାବି ପୂରଣ ଲାଗି ସରକାରଙ୍କୁ ଜାନୁଆରୀ ୩୧ ଯାଏ ଅଲଟିମେଟମ୍ ଦେଇଛି ସଂଗଠନ। ନହେଲେ ଫେବ୍ରୁଆରୀ ପହିଲାରୁ ରାଜ୍ୟବ୍ୟାପୀ ଆଇନ୍ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।