ଭୁବନେଶ୍ୱର : ନିଜ ଠାରୁ ଅନେକ ଦୁର୍ବଳ ଦଳ ଇଂଲଣ୍ଡକୁ ହରାଇ ଚତୁର୍ଦ୍ଦଶ ହକି ବିଶ୍ୱ କପ୍ରେ ବ୍ରୋଞ୍ଜ୍ ପଦକ ଜିତିଛି ଗତଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଦଳ । ଆଜି ଅପରାହ୍ନରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳ ମନଇଚ୍ଛା ଗୋଲ୍ କରି ୮-୧ରେ ବିଜୟୀ ହୋଇଛି ।
ମ୍ୟାଚ୍ରେ ପ୍ରଥମାର୍ଦ୍ଧରେ ସମ୍ପୂର୍ଣ୍ଣ ରୂପେ ପ୍ରଭାବ ଜାହିର କରି କଙ୍ଗାରୁ ଦଳ ୩ଟି ଗୋଲ୍ ସ୍କୋର କରିଥିଲା । ବ୍ଲାକ୍ ଗୋଭର୍ସ ୮ ମିନିଟ୍ରେ ଏବଂ ୯ ଓ ୧୯ ମିନିଟ୍ରେ ଟମ୍ କ୍ରେଗ୍ ୨ଟି ଗୋଲ୍ କରିଥିଲେ । ମଧ୍ୟାନ୍ତର ପରେ ମଧ୍ୟ ଅଷ୍ଟ୍ରେଲିଆ ଦଳର ଗୋଲ୍ ବର୍ଷା ଜାରି ରହିଥିଲା । ତୃତୀୟ କ୍ୱାର୍ଟରର ଖେଳ ଆରମ୍ଭ ହେଉ ହେଉ ଗୋଟିଏ ମିନିଟ୍ ଭିତରେ ଟ୍ରେଣ୍ଟ ମିଟନ୍ ଗୋଲ୍ ବ୍ୟବଧାନକୁ ୪-୦ରେ ପରିଣତ କରିଥିଲେ । ପୁଣି ୩୩ ଓ ୩୪ ମିନିଟ୍ରେ ଟିମ୍ ବ୍ରାଣ୍ଡ ଲଗାତର ୨ଟି ଗୋଲ୍ କରିଥିଲେ । ତେବେ ୪୪ ମିନିଟ୍ରେ ଇଂଲଣ୍ଡ ପକ୍ଷରୁ ବେରୀ ମିଡିଲଟନ୍ ଗୋଟିଏ ଗୋଲ୍ ଦେବାରୁ ବ୍ୟବଧାନ କମିଥିଲା । ତୃତୀୟ କ୍ୱାର୍ଟର ଖେଳ ଶେଷ ବେଳକୁ ସ୍କୋର ଥିଲା ୬-୧ ।
ଶେଷ କ୍ୱାର୍ଟରରେ ଉଭୟ ଦଳ କିଛି ସମୟ ବଳ କଷାକଷି ହୋଇଥିଲେ । ତେବେ ଶେଷ ଭାଗରେ ଜେରେମି ହେଓ୍ଵାର୍ଡ଼ ଅଷ୍ଟ୍ରେଲିଆ ପକ୍ଷରୁ ଲଗାତର ଦୁଇଟି ଗୋଲ୍ ସ୍କୋର କରି ୮-୧ରେ ବିଜୟୀ କରାଇଥିଲେ ।
ସନ୍ଧ୍ୟା ୭ଟାରେ ଫାଇନାଲ୍ ମ୍ୟାଚ୍ ନେଦରଲାଣ୍ଡସ ଓ ବେଲଜିୟମ ମଧ୍ୟରେ ଖେଳାଯିବ ।