Odia News Portal

ରୋଲର ସ୍କେଟିଂ ପ୍ରତିଯୋଗିତା ପାଇଁ ବିଶାଖାପାଟଣା ଯାତ୍ରା

ଭୁବନେଶ୍ବର: ଚଳିତ ମାସ ୧୮ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ୫୬ତମ ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ   ଅଂଶଗ୍ରହଣ କରିବା ପାଇଁ ବ୍ରହ୍ମପୁର ସ୍କେଟରମାନେ ରବିବାର ଟ୍ରେନ ଯୋଗେ ବିଶାଖାପାଟଣା ଯାତ୍ରା କରିଛନ୍ତି। ସ୍କେଟିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍କେଟର ମାନେ ଅଂଶଗ୍ରହଣ କରିବେ। ଏ ନେଇ  ପୂର୍ବରୁ ଚଳିତ ମାସ ୭ ଓ ୮ ତାରିଖରେ ଭୁବନେଶ୍ୱରଠାରେ ଏକ ସ୍ବତନ୍ତ୍ର ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁରର ତିନି ବାଳକ ଓ ଜଣେ ବାଳିକା ଭାଗ ନେବା ପାଇଁ ଚୟନ ହୋଇଥିଲେ। ତିନୋଟି ବର୍ଗରେ ରୋଲର ସ୍କେଟିଂ ପାଇଁ ମନୋନୀତ ହୋଇଥିବା ବେଳେ ରୋଲର ହକି ପାଇଁ ଜଣେ ଚୟନ ହୋଇଥିଲେ । ଜଗନ୍ନାଥ ବେହେରା ୧୪ ବର୍ଷ ବର୍ଗ, ଶ୍ରଦ୍ଧା ବେହେରା ଓ ପୁନିତ୍‌ କୁମାର ଗୌଡ଼ ୧୨ ବର୍ଷ ବର୍ଗର ରୋଲର ସ୍କେଟିଂ ପାଇଁ ଚୟନ ହୋଇଥିଲେ। ସେହିପରି ରୋଲର ହକି ପାଇଁ ଅନୁଭବ ପଣ୍ଡା ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି ।
ବ୍ରହ୍ମପୁର ସହରର କମାପଲ୍ଲୀଠାରେ ଥିବା ସ୍କିଲ୍‌ ରୋଲର ସ୍କେଟିଂ ଏକାଡେମୀରେ ଏହି ଖେଳାଳିମାନେ ନିଜର ଅଭ୍ୟାସ ଜାରି ରଖିଥିଲେ। ଏକାଡେମୀର କୋଚ ସଞ୍ଜୟଙ୍କ ତତ୍ତ୍ୱାବଧାନରେ ଏହି ଖେଳାଳିମାନେ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ସୁଯୋଗ ପାଇଥିବା ବେଳେ ଉତ୍ତମ ପ୍ରଦର୍ଶନ ଓ ସଫଳତା ପାଇବେ ବୋଲି ଉଭୟ ଖେଳାଳି ଓ ଏକାଡେମୀ ପକ୍ଷରୁ କୁହାଯାଇଛି। ସକାଳେ ଟ୍ରେନ ଯୋଗେ ଖେଳାଳିମାନେ ଯାତ୍ରା ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେଶନରେ ଗଞ୍ଜାମ ଜିଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ତଥା ଗଞ୍ଜାମ ରୋଲର ସ୍କେଟିଂ ସଂଘର ସଭାପତି ଅଶୋକ ସାହୁ ଉପସ୍ଥିତ ରହି ସ୍କେଟରମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଉତ୍ତମ ପ୍ରଦର୍ଶନ କରିବା ପାଇଁ ଶୁଭେଚ୍ଛା ଜଣାଇଥିଲେ